ଗୁଜରାଟ ବିଜେପି ସଂକଟର ଅନ୍ତ ! ନୀତିନ ପଟେଲଙ୍କ ଅଭିମାନ ଭଙ୍ଗ, ମିଳିଲା ଅର୍ଥ ବିଭାଗ

38

କନକ ବ୍ୟୁରୋ : ଗୁଜରାଟ ବିଜେପିରେ ଚାଲିଥିବା ସଂକଟ ଟଳିଛି । ନୀତିନ ପଟେଲଙ୍କ ଦାବିକୁ ବିଚାର କରି ଦଳ ୧୨ ଘଂଟା ଭିତରେ ତାଙ୍କୁ ଅର୍ଥ ବିଭାଗ ଦେବାକୁ ନିଷ୍ପତି ନେଇଛି । ଏଥିସହ ଗୁଜରାଟରେ ବିଜେପିର ନୂଆ ସରକାର ପାଇଁ ସୃଷ୍ଟି ହୋଇଥିବା ସଙ୍କଟ ଟଳିଛି । ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିଜ ମନ୍ତ୍ରାଳୟରେ ଯୋଗ ଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଖାଲି ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ସହ କ୍ୟାବିନେଟ ବୈଠକରେ ମଧ୍ୟ ସାମିଲ ହୋଇଛନ୍ତି ନୀତିନ ପଟେଲ । ଏଥିସହ ବିଭାଗ ବଂଟନକୁ ନେଇ ଗୁଜରାଟର ବିଜେପିରେ ଦେଖା ଦେଇଥିବା ମାନ ଅଭିମାନ ଶେଷ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋନ କଲ ଆସିବା ପରେ ନୀତୀନ ପଟେଲଙ୍କ ଅଭିମାନ ଭଙ୍ଗ ହୋଇଛି । ଏହାପରେ ସେ ମନ୍ତ୍ରାଳୟକୁ ଯାଇ କାର୍ଯ୍ୟଭାର ସମ୍ଭାଳିଛନ୍ତି ।

ନୀତିନ ପଟେଲ ଗଣମାଧ୍ୟମ ଆଗରେ କହିଛନ୍ତି, ତାଙ୍କ ଦାବି ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅମିତ ଶାହା । ଏଥିସହ ସେ କହିଥିଲେ କୌଣସି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଚାହୁଁ ନାହାନ୍ତି, ପୂର୍ବରୁ ଯେଉଁ ବିଭାଗର ମନ୍ତ୍ରୀ ଥିଲେ ସେହି ବିଭାଗରେ କାମ କରିବାକୁ ଚାହୁଁଛନ୍ତି । ଦଳ ଛାଡିବା ଚର୍ଚ୍ଚା ଉପରେ ମତ ରଖି ନୀତିନ କହିଥିଲେ, ୪୦ ବର୍ଷ ବିଜେପି କାର୍ମୀ ଭାବେ କାମ କରିଆସୁଛି । ଦଳ ପ୍ରତି ନିଷ୍ଠା ଦେଖି ଉପମୁଖ୍ୟମନ୍ତ୍ରୀ କରାଯାଇଛି, ତେଣୁ ଦଳ ଛାଡିବାର ପ୍ରଶ୍ନ ନାହିଁ ବୋଲି କହିଛନ୍ତି ନୀତିନ ପଟେଲ ।