ଏନ୍ଆଇଟି ଯୌନ କେଳେଙ୍କାରୀ ମାମଲା : ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୁଲିସ୍

42

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ଏନ୍ଆଇଟିର ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ପୁଲିସ । ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଗିରଫ ଏବଂ ପରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଗତକାଲି ପୁଣି ଜଣେ ସୁରକ୍ଷାକର୍ମୀ ଚମ୍ପତିରାୟଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ କରିଛନ୍ତି । ଏନେଇ ସେ ରାଉରକେଲା ସେକ୍ଟର ୩ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିପାରେ ପୁଲିସ୍ । ସେହିପରି ଏନ୍ଆଇଟି କ୍ୟାମ୍ପର ସୁରକ୍ଷାକର୍ମୀ ରହୁଥିବା ସ୍ଥାନରୁ ମଦ ମିଳିବା ମାମଲାରେ ମଧ୍ୟ ତାଙ୍କୁ ଆଜି କୋର୍ଟରେ ହାଜର କରିବାର ସମ୍ଭାବନା ରହିଛି । ଗତକାଲି ଝିରପାଣି ଥାନା ଜଗଦାରୁ ଚମ୍ପତିରାୟଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ଚମ୍ପତିରାୟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବାକୁ ମନା କରି ଦେଇଥିଲେ ହାଇକୋର୍ଟ । ଗତ ୨୬ ତାରିଖରୁ ଫେରାର ଥିଲେ ବଳରାମ ଚମ୍ପତିରାୟ । ଏନ୍ଆଇଟିରେ ମହିଳା ସୁରକ୍ଷାକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ଯାହାଫଳରେ ଏନ୍ଆଇଟି ପରିସରରେ ଉତେଜନା ଭଳି ପରିସ୍ଥିତି ଲାଗି ରହିଥିଲା ।