ଆରପାରିରେ ବିଶିଷ୍ଟ ଓଡ଼ିଆ ତଥା ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ର। ବିଳମ୍ବିତ ରାତିରେ ୮୩ ବର୍ଷରେ ଦେହାନ୍ତ।

136

କନକ ବ୍ୟୁରୋ: ଯାହାଙ୍କ ଗୀତରେ ଓଡ଼ିଆ ଶ୍ରୋତାଙ୍କ ଆଖିରେ ନିଦ ଆସି ଯାଉଥିଲା, ସେହି କାଳଜୟୀ କଣ୍ଠଶିଳ୍ପୀ ଚିରନିଦ୍ରାରେ ଶୋଇଯାଇଛନ୍ତି । ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ ବି ଓଡ଼ିଆଙ୍କ ହୃଦୟକୁ ଛୁଇଁ ଯାଇଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର ।

୨୧ ଅକ୍ଟୋବର ୧୯୩୮: କୋଲକତାର ମାଜିଲପୁରରେ ଜନ୍ମ ହୋଇଥିଲେ ନିର୍ମଳା
୩୧ ଜୁଲାଇ ୨୦୨୨: କୋଲକତାର ଚେଟଲାରେ ପରଲୋକ ଘଟିଛି
୧୯୬୦ ଦଶକରେ ଆରମ୍ଭ ହୋଇଥିଲା ତାଙ୍କର ସଂଗୀତ ଜୀବନ

ବାପା ପଣ୍ଡିତ ମୋହିନୀମୋହନ ମିଶ୍ର ଥିଲେ ସୁନାମଧନ୍ୟ କଣ୍ଠଶିଳ୍ପୀ । କିନ୍ତୁ ଓଡ଼ିଶାର ସଂଗୀତ ସୁଧାକର ବାଳକୃଷ୍ଣ ଦାସହିଁ ତାଙ୍କୁ ପ୍ରଥମେ ଶ୍ରୀଲୋକନାଥ ଚଳଚିତ୍ରରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏହା ପରେ ଅନେକ ସୁପରହିଟ୍ ଗୀତ ଭେଟି ଦେଇଥିଲେ ନିର୍ମଳା ।
ସ୍ତ୍ରୀ, କା’, ମଲାଜହ୍ନ, ଅଭିନେତ୍ରୀ, ଅନୁତାପ, କିଏ କାହାର, ଅମଡ଼ା ବାଟ, ଅଦିନ ମେଘ ଚଳଚ୍ଚିତ୍ରରେ ନିର୍ମଳା ମିଶ୍ରଙ୍କ ଅଭୁଲା ଗୀତ ଆଜି ବି ଗୁଣୁଗୁଣାଇଥାନ୍ତି ଓଡ଼ିଶାବାସୀ ।

ନିଦଭରା ରାତି,ଯୋଛନା ଲୁଚନା, ଜୀବନ ଯମୁନାରେ ଜୁଆର ଉଠେରେ, ଯାଯାରେ ଭାସି ଯା-ମନ ପବନ ନଉକା ଭଳି ଅନେକ ଗୀତ ତାଙ୍କୁ ଅମର କରିଦେଇଛି । ତାଙ୍କ କଣ୍ଠରେ ଏପରି ଯାଦୁ ଥିଲା ଯେ ପିଲାଠୁ ବୁଢ଼ା ଯାଏଁ ସମସ୍ତଙ୍କୁ ସେ ବାନ୍ଧି ରଖି ପାରୁଥିଲେ । ବଙ୍ଗଳା ଗୀତ ମଧ୍ୟ ସେ ଗାଇଛନ୍ତି, କିନ୍ତୁ ଓଡ଼ିଶା ହିଁ ଥିଲା ତାଙ୍କର କର୍ମଭୂମି । ଓଡ଼ିଆ ସଂଗୀତ ଜଗତରେ ତାଙ୍କର ଅବଦାନ ଯୋଗୁଁ ତାଙ୍କୁ ମିଳିଥିଲା ସଂଗୀତ ସୁଧାକର ବାଳକୃଷ୍ଣ ଦାସ ପୁରସ୍କାର ।