କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି : ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ଟୁଇଟ କରି ଅଭିଯୋଗ କଲେ ନିରଂଜନ

ସେପଟେ ଜଣକୁ ଅଟକ ରଖି ପଚରାଉଚରା

259

କନକ ବ୍ୟୁରୋ : କେନ୍ଦୁଝର ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଂଜନ ଅଭିଯୋଗ କରିଛନ୍ତି । ଏନେଇ ନିରଂଜନ ଟୁଇଟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ କରାଯାଇଛି ।

ବିଜେପିର ଭୁଲ ନୀତି ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରିବାରୁ ଏଭଳି ଆକ୍ରମଣ କରାଯାଇଥିବା ନିରଂଜନ କହିଛନ୍ତି । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କୁ ପ୍ରଶ୍ନ କରିଛନ୍ତି ନିରଂଜନ । ତାଙ୍କ ଦଳ ଏଭଳି କାହିଁକି ଭୀରୁ ଭଳି ବ୍ୟବହାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ କଂଗ୍ରେସ ଆପଣଙ୍କ ଦଳ ପାଇଁ କିଭଳି ଭୟର କାରଣ ସାଜିଛି ତାହା ବୁଝିପାରୁଥିବା କହିଛନ୍ତି ନିରଂଜନ ।

ସେପଟେ, ଆକ୍ରମଣ ଘଟଣାରେ ଜଣକୁ ଅଟକ ରଖାଯାଇଛି । ଅଭିଯୁକ୍ତ ସଂଜୟ ମହାନ୍ତିକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟାଉନ ଥାନା ପୁଲିସ ତନାଘନା ଚଳାଇଛି । କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି କାଶୀପୁର ନିକଟରେ ପିିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା ।ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା ।