କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ, ଆକ୍ରମଣ ପଛରେ ରହିଛି ବିଜେପି ଯୁବମୋର୍ଚ୍ଚାର ସଂପୃକ୍ତି ।

265

କନକ ବ୍ୟୁରୋ: ରବିବାର ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣର ଚିତ୍ର ଯେତେବେଳେ ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ବିବ୍ରତ କରିଦେଇଥିଲା । କାରଣ, ଦେଶର ସର୍ବ ପୁରାତନ ଦଳର ରାଜ୍ୟ ମୁଖ୍ୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ରାଜନୈତିକ ମାହୋଲକୁ ସରଗରମ କରିଦେଇଥିଲା । କିଛି ସମୟ ଭିତରେ କଂଗ୍ରେସ କର୍ମୀମାନେ ଘଟଣା ପ୍ରତିବାଦରେ ବାହାରିପଡ଼ିଥିଲେ । ପ୍ରଥମେ ଏହି ଘଟଣାରେ ରାଜନୈତିକ ସଂପୃକ୍ତି ନଥାଇପାରେ ବୋଲି କହିଥିଲେ ପିସିସି ସଭାପତି, କିନ୍ତୁ ଯେତେବେଳେ ଅଭିଯୁକ୍ତମାନେ ସାମ୍ନାକୁ ଆସିଛନ୍ତି, ସେତେବେଳେ ଟୁଇଟ୍ କରି ନିରଞ୍ଜନ ପଟ୍ଟନାୟକ ଲେଖିଛନ୍ତି-

“ଗତକାଲି ରାତିରେ ମୁଁ କେନ୍ଦୁଝର ଯାଉଥିବା ସମୟରେ ମୋ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେମାନେ ଡ୍ରାଇଭର ଏବଂ ପିଏସଓଙ୍କୁ ମାରପିଟ୍ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ କରିଥିଲି । ଜାଣି ଆଶ୍ଚର୍ଯ୍ୟ ଲାଗୁଛି ଯେ, ଦୁର୍ବୃତ୍ତଙ୍କ ମଧ୍ୟରେ ଯୁବ ବିଜେପିର ସଦସ୍ୟ ଅଛନ୍ତି । ଏହା ଓଡ଼ିଶା ବିଜେପିର ରାଜନୈତିକ ପ୍ରତିଶୋଧ ପରାୟଣତା ଓ ନୈରାଶ୍ୟର ପ୍ରତୀକ । ବିଜେପିର ନୀତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇ ଆସୁଛି । କଂଗ୍ରେସ ସେମାନଙ୍କ ପାଇଁ ବଡ଼ କଣ୍ଟା ହୋଇ ଛିଡ଼ା ହୋଇଛି । ମୁଁ ଏ ସମ୍ପର୍କରେ ରାଜ୍ୟ ସଭାପତି ଏବଂ ଓଡ଼ିଶା ପ୍ରଭାରୀଙ୍କୁ ପଚାରିବି, ଆପଣଙ୍କ ବିଜେପି ଦଳ କାହିଁକି ଭୀରୁ ଭଳି ଆଚରଣ କରୁଛି? ଯଦି ଏହା ଓଡ଼ିଶାର କୌଣସି ମହିଳାଙ୍କ କ୍ଷେତ୍ରରେ ଘଟିଥାନ୍ତା କ’ଣ ହୋଇଥାନ୍ତା । ଓଡ଼ିଶାରେ ମହିଳାମାନେ କେତେ ସୁରକ୍ଷିତ?

ପିସିସି ସଭାପତିଙ୍କ ଏଭଳି ଅଭିଯୋଗ ପରେ ଏହାକୁ ନେଇ ରାଜନୈତିକ ବୟାନବାଜୀ ଜୋରଦାର ହୋଇଛି । ଘଟଣାକୁ ନେଇ କଂଗ୍ରେସ ବିଧାୟକ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଥିବା ବେଳେ ବିଜେଡିକୁ ମଧ୍ୟ ଗୋଟିଏ ସୁଯୋଗ ମିଳିଯାଇଛି । ଆଉ ଏସବୁ ଭିତରେ ବିଜେପି କହିଛି-ପୂର୍ବରୁ ହୋଇଥିବା ରାଜନୈତିକ ହିଂସା ସମୟରେ କାହିଁକି ଚୁପ୍ ଥିଲା କଂଗ୍ରେସ । ତେବେ ଏସବୁ ଭିତରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟିଛି କଂଗ୍ରେସର ଏକ ପ୍ରତିନିଧି ଦଳ । ତେବେ ପିସିସି ସଭାପତିଙ୍କ ଭଳି ଜଣେ ତୁଙ୍ଗ ନେତାଙ୍କ ଗାଡ଼ି ଉପରେ ଆକ୍ରମଣ ଏବଂ ଏଥିରେ ରାଜନୈତିକ ଦଳର ସଂପୃକ୍ତି, ଅନେକ ଗୁଡ଼ିଏ ପ୍ରଶ୍ନ ଛିଡ଼ା କରିଛି ।