ବଦ୍ରି ପାତ୍ରଙ୍କୁ ଘାରିଛି କଂଗ୍ରେସ ଚିନ୍ତା: କହିଲେ ଦଳକୁ ଭାଙ୍ଗିବା ପାଇଁ ନିରଞ୍ଜନ ହୋଇଛନ୍ତି ପିସିସି ସଭାପତି, ସେପଟେ ନିରଂଜନଙ୍କ କଟାକ୍ଷ ବିକଳ ହେଉଛନ୍ତି ବଦ୍ରି

158

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋର୍ ଧରୁଛି ନେତାଙ୍କ ବୟାନବାଜି । ମୁହାଁମୁହିଁ ହୋଇଛନ୍ତି ଦୁଇ ଟାଣୁଆ ନେତା, ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ । କଂଗ୍ରେସରେ ନେତା ଦଳ ଛାଡିବା ପ୍ରସଙ୍ଗରେ ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି ବଦ୍ରି ନାରାୟଣ ପାତ୍ର । କହିଛନ୍ତି, କଂଗ୍ରେସକୁ ଭାଂଗିବା ପାଇଁ ଚେଷ୍ଟା କରୁଛନ୍ତି ନିରଜଂନ । ସେପଟେ ପିସିସି ସଭାପତି କହିଛନ୍ତି, କଂଗ୍ରେସ ପାଇଁ କାହିଁକି ବିକଳ ହେଉଛନ୍ତି ବଦ୍ରି ।

ବଦ୍ରିଙ୍କ ଏପରି ମନ୍ତବ୍ୟ ପରେ ପୁଣି ସାମନା ସାମନି ହୋଇଛି କେନ୍ଦୁଝର ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ପିସିସି ସଭାପତି ନିରଜଂନ ପଟ୍ଟନାୟକ ଓ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଦୁହିଁ ମଧ୍ୟରେ ରହିଛି ତୀବ୍ର ରାଜନୈତିକ ପ୍ରତିଯୋଗିତା । କଂଗ୍ରେସ ସଂଗଠନକୁ ମଜଭୁତ ପାଇଁ ନିରଂଜନ ଅଂଟା ଭିଡୁଥିବା ବେଳେ ୨ ବିଧାୟକ କଂଗ୍ରେସ ଛାଡିବା ଦଳକୁ ଦେଇଛି ଡବଲ ଝଟକା । ଏଭଳି ସମୟରେ କଂଗ୍ରେସର ଦଳୀୟ ବ୍ୟାପାରରେ ଧସେଇ ପସିଛନ୍ତି ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ସମାଲୋଚନା କରିବା ସହ ବଦ୍ରି କହିଛନ୍ତି କଂଗ୍ରେସକୁ ଭାଙ୍ଗିବା ପାଇଁ ମସୁଧା କରୁଛନ୍ତି ନିରଂଜନ ।

ବଦ୍ରିଙ୍କ ମୁହଁରୁ ଏପରି ଶୁଣି ଚିହିଙ୍କି ଉଠିଛନ୍ତି ପିସିସି ସଭାପତି ନିରଜଂନ ପଟ୍ଟନାୟକ । କଟାକ୍ଷ କରି କହିଛନ୍ତି ବଦ୍ରି କାହିଁକି ବିକଳ ହେଉଛନ୍ତି । ଧୈର୍ଯ୍ୟ ଧରନ୍ତୁ, ଆଗକୁ ଦେଖିବେ କଣ ହେଉଛି ବୋଲି କଟାକ୍ଷ କରି କହିଛନ୍ତି ସଭାପତି ନିରଂଜନ ପଟ୍ଟନାୟକ ।

ଘଷିପୁରାରୁ ୨୦୧୪ ନିର୍ବାଚନ ଜିତି ମନ୍ତ୍ରୀପଦ ପାଇଥିବା ବଦ୍ରି ନାରାୟଣ ପାତ୍ର ବେଶ କିଛି ଦିନ ହେଲା ବିବାଦ ଘେରକୁ ଆସିଛନ୍ତି । ଦୁଇ ପୁଅଙ୍କ ଗୁଣ୍ଡାଗର୍ଦ୍ଦି କାର୍ଯ୍ୟ ପାଇଁ ତାଙ୍କୁ ବହୁ ତିରସ୍କାର ମଧ୍ୟ ଶୁଣିବାକୁ ମିଲିଛି । ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦୁଝରର ଦୁଇ ହେଭିୱେଟ୍ ନେତାଙ୍କ ମଧ୍ୟରେ କଥା କଟାକଟି ରାଜ୍ୟ ରାଜନୀତିକୁ ବେଶ୍ ଉଷୁମ କରିଛି ।