କନକ ବ୍ୟୁରୋ : କରୋନାଠୁ ଅଧିକ ଘାତକ ନିପା ଭାଇରସ । ଆଇସିଏମଆର ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡିଛି । କରୋନାର ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ରହିଥିବା ବେଳେ ନିପାର ମୃତ୍ୟ ହାର ୪୦ରୁ ୭୦ ପ୍ରତିଶତ ରହିଛି । ଏବେ କେରଳରେ ଏହି ନିପା ଆତଙ୍କ ଦେଖାଦେଇଛି । ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ଘଟିସାରିଛି ।

Advertisment

କେରଳର କୋଝିକୋଡ ଜିଲ୍ଲା ଏହି ଭାଇରସ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । କେରଳରେ ନିପା ଭାଇରସ ବ୍ୟାପୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛି । ଏକ କେନ୍ଦ୍ରୀୟ ଟିମ୍ ଆସି ପ୍ରଭାବିତ ଜିଲ୍ଲା ବୁଲି ସମୀକ୍ଷା କରୁଛି । କେରଳର ସ୍ଥିତି ଦେଖି କର୍ଣ୍ଣାଟକ, ତାମିଲନାଡୁ ଓ ରାଜସ୍ଥାନରେ ହାଇଆଲର୍ଟ ଜାରି ହୋଇଛି । ଏବେ କେରଳରେ ସ୍ଥିତିର ମୁକାବିଲା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏକ ବାୟୋସଫେଟି ଲେଭଲ୍ -୩ କଂଟେନମେଂଟ ମୋବାଇଲ୍ ଲାବୋରେଟୋରୀ ପ୍ରସ୍ତୁତ କରିଛି । ଯାହା ଜିଲ୍ଲା ସ୍ତରରେ ଏହି ସଂକ୍ରମଣର ମୁକାବିଲା କରିବାରେ ସହାୟକ ହେବ ।

କେରଳରେ ସ୍କୁଲ ଓ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଝିକୋଡରେ ପ୍ରଭାବିତ ଗ୍ରାମ ପଂଚାୟତକୁ ଏକ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏଯାବତ ଚିହ୍ନଟ ହୋଇଥିବା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ହଜାରେରୁ ଅଧିକ ଜଣଙ୍କୁ ଚିହ୍ନଟ କରାଯାଇଛି । ୨୦୧୮ ପରଠାରୁ ଏହା ଚତୁର୍ଥ ଥର ପାଇଁ କେରଳରେ ନିପା ସଂକ୍ରମଣ ବୃଦ୍ଧି ପାଇଛି ।