ଟୁଲ୍ କିଟ ମାମଲାରେ ଏବେ ଫୋକସରେ ନିକିତା ଜାକବ । ଦିଶା ରବିଙ୍କଠାରୁ ବି ରହିଛି ବଡ ଭୂମିକା ।

130

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଟୁଲ୍ କିଟ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିକିତା ଜାକବଙ୍କ ଉପରେ ଏବେ ତଦନ୍ତକାରୀ ଟିମର ଫୋକସ । କାରଣ କୁହାଯାଉଛି ଗିରଫ ହୋଇଥିବା ଦିଶା ରବିଙ୍କ ଠାରୁ ନିକିତାଙ୍କ ବଡ ଭୂମିକା ରହିଛି । ତଦନ୍ତକାରୀ ଟିମ ଅନୁଯାୟୀ ଟୁଲ କିଟ ମାମଲାରେ ଦିଶା ରବିଙ୍କ ଠାରୁ ବଡ ଭୂମିକା ରହିଛି ନିକିତା ଜାକବଙ୍କର । କାରଣ ଗ୍ରେଟା ଥନବର୍ଗଙ୍କ ଜରିଆରେ ସେ ଟୁଲ୍ କିଟକୁ ଅଧିକ ଲୋକଙ୍କ ନିକଟରେ ପଂହଚାଇବାକୁ ଚାହୁଁଥିଲେ ।

ନିକିତାଙ୍କର ହ୍ୱାଟ୍ସଆପ୍ ଚାଟ, ଇମେଲ ଓ ଡାଟା ଏକ ପେନଡ୍ରାଇଭ, ଡେସ୍କଟପ ଓ ମୋବାଇଲରୁ ଜବତ କରାଯାଇଛି । ନିକିତା ସିଗନାଲ, ଟେଲିଗ୍ରାମ, ସର୍ଫସାର୍କ, ପ୍ରୋଟେନ ଭିଏମ ଓ ସାଇବର ଘୋଷ୍ଟ ଭଳି ଆପ୍ ବ୍ୟବହାର କରୁଥିବା ଜଣାପଡିଛି । ଏପରିକି ଖାଲିସ୍ତାନୀ ସଂସ୍ଥା ‘ପଏଟିକ ଜଷ୍ଟିସ ଫାଉଣ୍ଡେସନ’ର ଏକ ଇମେଲ ମଧ୍ୟ ନିକିତା ବ୍ୟବହାର କରଥିବା ତଦନ୍ତରୁ ଜଣାପଡିଛି ।

ଏହି ମାମଲାରେ ଏବେ ନିକିତା ଜାକବଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ବମ୍ବେ ହାଇକୋର୍ଟ ତାଙ୍କୁ ୩ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଅର୍ଥାତ ଏହି ସମୟ ମଧ୍ୟରେ ପୋଲିସ ତାଙ୍କୁ ଗିରଫ କରିପାରିବନାହିଁ । କୋର୍ଟ କହିଛନ୍ତି ଯଦି ଏହି ସମୟ ଭିତରେ ନିକିତା ଗିରଫ ହୁଅନ୍ତି ତେବେ ୨୫ହଜାର ଟଙ୍କା ମୁଚାଲିକା ଦାଖଲ କରି ମୁକୁଳିପାରିବେ । ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ଶାନ୍ତନୁଙ୍କୁ ମଧ୍ୟ ୧୦ ଦିନ ଅନ୍ତରୀଣ ଜାମିନ ମିଳିସାରିଛି ।

ଟୁଲ୍କିଟ ମାମଲାରେ ଗତ ସପ୍ତାହରେ ପରିବେଶକର୍ମୀ ଦିଶା ରବିଙ୍କୁ ବେଙ୍ଗାଲୁରରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଗିରଫ ପରେ ନିକିତା ଓ ଶାନ୍ତନୁଙ୍କ ନାଁ ଜେରା ସମୟରେ ପ୍ରକାଶ କରିଥିଲେ ଦିଶା । ନିକିତା ଓ ଶାନ୍ତନୁଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିବା ବେଳେ ଉଭୟଙ୍କୁ ଅନ୍ତରୀଣ ଜାମିନ ଦେଇଛି କୋର୍ଟ । ଦିଶା, ନିକିତା ଓ ଶାନ୍ତନୁ ଖଲିସ୍ତାନୀ ସଂଗଠନ ସହ ଜଡିତ ରହିବା ସହ ଟୁଲକିଟ ନିର୍ମାଣ କରିବାରେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏପରିକି ଦିଲ୍ଲୀରେ ହିଂସାକୁ ଅଧିକ ଉଗ୍ର କରିବା ପାଇଁ କାନାଡାରେ ବସିଥିବା ଖଲିସ୍ତାନୀ ସଂଗଠନ ସହ ଜୁମ ଆପରେ ବୈଠକ ମଧ୍ୟ କରିଥିଲେ ।

ଚାଷୀ ଆନ୍ଦୋଳନ ସମ୍ପର୍କରେ ଏହି ଟୁଲ୍ କିଟ୍କୁ ଏଡିଟ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ନେଇ ନିକିତା, ଶାନ୍ତନୁ ଓ ଦିଶାଙ୍କ ନାଁରେ ଅଭିଯୋଗ ରହିଛି । ଏହା ହେଉଛି ସେହି ଟୁଲ୍ କିଟ ଯାହାକୁ ସ୍ୱିଡିଶ ପରିବେଶବିତ ଗ୍ରେଟା ଥନବର୍ଗ ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଥିଲେ । ଏହେଉଛି ସେହି ଗୁଗଲ ଡକ୍ୟୁମେଂଟ ଯାହାକୁୁ ୩ତାରିଖ ଦିନ ଗ୍ରେଟା ନିଜର ଟ୍ୱିଟର ଆକାଉଂଟରୁ ସେୟାର କରିବା ପରେ ପୁଣି ଡିଲିଟ କରିଦେଇଥିଲେ । କିନ୍ତୁ ଏହି ଡକ୍ୟୁମେଂଟରେ ଥିବା ଷଡଯନ୍ତ୍ର ସମସ୍ତଙ୍କ ସାମ୍ନାକୁ ଆସିସାରିଥିଲା । ଏବେ ନଜର ପକାନ୍ତୁ :

କ’ଣ ଏହି ଟୁଲ୍ କିଟ?
– କୌଣସି ପ୍ରସଙ୍ଗକୁ ବୁଝାଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଗୁଗଲ ଡକ୍ୟୁମେଂଟ ହେଉଛି ଟୁଲ୍ କିଟ୍
– ସମସ୍ୟାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ ଏଥିରେ ସୂଚନା ଦିଆଯାଇଥାଏ
– ଆକ୍ସନ ପଏଂଟ ସମ୍ପର୍କରେ ଏଥିରେ ଉଲ୍ଲେଖ ଥାଏ
– ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଏ
– କ୍ୟାମ୍ପେନ ସମେତ ସାମୁହିକ ବିରୋଧ ପ୍ରଦର୍ଶନ ସମ୍ପର୍କରେ ସୂଚନା ଦିଆଯାଏ
– ଏଥିରେ ଯେକୌଣସି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ଓ ଜନଆନ୍ଦୋଳନ ସମ୍ପର୍କରେ ସୂଚନା ଦିଆଯାଏ