କନକ ବ୍ୟୁରୋ : ରବିବାର ସଂଧ୍ୟାରେ କୋଲକାତାରେ ଦେଖିବାକୁ ମିଳିଲା ହାଇଭୋଲଟେଜ ଡ୍ରାମା । ଯାହା କିଛି ସମୟ ମଧ୍ୟରେ ଚରମ ସୀମାରେ ପହଂଚିଯାଇଥିଲା । ସିବିଆଇ ଟିମ୍ କୋଲକାତା ପୁଲିସ କମିଶନରଙ୍କ ବାସଭବନରେ ପହଁଚିବା ପରେ ଏହି ଡ୍ରାମା ଆରମ୍ଭ ହୋଇଥିଲା । ଆଉ ୨୪ ଘଣ୍ଟା ମଧ୍ୟରେ କୋଲକତାରୁ ଆରମ୍ଭ ହୋଇଥିବା ଏହି ହାଇଭୋଲଟେଜ ଡ୍ରାମା ଏବେ ଦିଲ୍ଲୀରେ ଝଡ ସୃଷ୍ଟି କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରବିବାର ସଂଧ୍ୟା ଠିକ୍ ୬ଟା ବେଳେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କ ସରକାରୀ ବାସଭବନରେ ପହଂଚିଥିଲେ ୪୦ ଜଣିଆ ସିବିଆଇ ଟିମ୍ । ଏହାପରେ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଏହାର ଠିକ୍ ଦୁଇ ମିନିଟ୍ ପରେ ଅର୍ଥାତ ୬ଟା ୨ ମିନିଟରେ କମିଶନରଙ୍କ ଘରେ ପହଂଚିଥିଲା ପୋଲିସ ଟିମ୍ । ଏବଂ ୬ଟା ୫ମିନିଟରେ ସିବିଆଇ ଅଧିକାରୀଙ୍କୁ ହେପାଜତରେ ନେଇଥିଲା ପଶ୍ଚିମବଙ୍ଗ ପୋଲିସ ।
ସଂଧ୍ୟା ୬ଟା ୩୦ମିନିଟ୍ । ରାସ୍ତା ଉପରେ ପୋଲିସ-ସିବିଆଇ ଧସ୍ତାଧସ୍ତିର ମାତ୍ର ଅଧ ଘଂଟା ଭିତରେ ଅର୍ଥାତ ୬ଟା ୩୦ ମିନିଟରେ ସିବିଆଇ ଅଧିକାରୀଙ୍କୁ ପୋଲିସ ଗାଡିରେ ବସାଇ ନିଆଯାଇଥିଲା ନିକଟରେ ଥିବା ସେକ୍ସପିୟର ସାରଣୀ ପୋଲିସ ଷ୍ଟେସନ୍ । ସଂଧ୍ୟା ଠିକ୍ ୬ଟା ୪୦ ମିନିଟ୍ ବେଳେ ପୋଲିସ କମିଶନର ରାଜୀବ କୁମାରଙ୍କ ବାସଭବନରେ ପହଂଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ପୋଲିସ କମିଶନରଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ।
ସମୟ ସଂଧ୍ୟା ୭ଟା । ପୋଲିସ ଓ ସିବିଆଇ ବିବାଦ ଆରମ୍ଭ ହେବାର ମାତ୍ର ଘଂଟାକ ମଧ୍ୟରେ ଏହା ବେଶ ରୋଚକ ମୋଡ ନେଇଥିଲା । ନିଜାମ ପ୍ୟାଲେସ ଓ ସିଜିଓ କମ୍ପଲେକ୍ସରେ ଥିବା ସିବିଆଇର ଦୁଇଟି କାର୍ଯ୍ୟାଳୟକୁ ଘେରାଉ କରିଥିଲେ ପୋଲିସ । ଅନ୍ୟପଟେ ପୋଲିସ ଡିଜି ଓ ବରିଷ୍ଠ ଅଧିକାରୀ ପୋଲିସ କମିଶନରଙ୍କ ଘରେ ପହଂଚିଥିଲେ । ଏଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରାୟ ଘଂଟାଏ ଧରି ବୈଠକ ଚାଲିଥିଲା ।
ରାତି ୮ଟା ୨୦ମିନିଟ୍ । ପୋଲିସ କମିଶନରଙ୍କ ବାସଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏବଂ ଧାରଣା ଦେବା ନେଇ ଘୋଷଣା କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସାରାରେ କାମ କରୁଥିବା ଜାତୀୟ ସୁରକ୍ଷା ପରାମର୍ଷଦାତା ଅଜିତ ଡୋଭାଲଙ୍କ ନିର୍ଦ୍ଦେଶରେ ସିବିଆଇ ଏଭଲି ପଦକ୍ଷେପ ନେଇଥିବା ଅଭିଯୋଗ ବାଢିଥିଲେ ।
ରାତି ୮ଟା ୩୫ମିନିଟ୍ । କୋଲକାତା ମେଟ୍ରୋ ଷ୍ଟେସନ୍ ସମ୍ମୁଖରେ ଧାରଣା ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଟିଏମସିର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଥିଲେ ଦିଦି । ତେବେ ବଡକଥା ହେଉଛି ମମତାଙ୍କ ସହ ଧାରଣାସ୍ଥଳରେ ୟୁନିଫର୍ମରେ ବି ବସିରହିଥିଲେ କୋଲକାତା ପୋଲିସ କମିଶନର ରାଜୀବ କୁମାର । ଯାହାକୁ ନେଇ ବଡ ବିବାଦ ଉଠିଛି । ସେପଟେ ମମତାଙ୍କ ଅଭିଯୋଗ କରିଛନ୍ତି ଯେ, ବିନା ୱାରେଂଟରେ ପୋଲିସ କମିଶନରଙ୍କ ଘରକୁ ଆସିଥିଲେ ସିବିଆଇ ଅଧିକାରୀ ।