ଲେଉଟିଲା କରୋନା, ଫେରିଲା କଟକଣା । ସାରା ଓଡ଼ିଶାର ସବୁ ସହରରେ ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ । ଦେଖନ୍ତୁ, ଲାଗିଲା କେଉଁ କେଉଁ କଟକଣା?

384

କନକ ବ୍ୟୁରୋ: ଦେଶରେ ଗତ ୨୪ ଘଂଟାରେ ୨ ଲକ୍ଷରୁ ଅଧିକ ଏବଂ ଓଡିଶାରେ ପାଖାପାଖି ୩ ହଜାର ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ କରୋନାର ଦ୍ୱିତୀୟ ଲହର ବିପଦଜ୍ଜନକ ପର୍ଯ୍ୟାୟକୁ ପହଂଚିଯାଇଛି ବୋଲି ରାଜ୍ୟ ସରକାର ଅନୁଭବ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ବଡ ବଡ ପଦକ୍ଷେପ  ସବୁ ନେଇଛନ୍ତି ଏବଂ ରାଜ୍ୟକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ । ସପ୍ତାହର ଶେଷ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାରରେ ସଟଡାଉନ କରିବାକୁ ମଧ୍ୟ ନିଷ୍ପତି ନିଆଯାଇଛି । ଆଉ ଏକ ବଡ ନିଷ୍ପତି ନେଇ ଓଡିଶା ସରକାର ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷାକୁ  ସ୍ଥଗିତ କରିଦେଇଛନ୍ତି । ନଜର ପକାନ୍ତୁ, ରାଜ୍ୟ ସରକାରଙ୍କ କଟକଣାକୁ ନେଇ ବଡ ଖବର..

  • ପୁଣି ଫେରିଛି ନାଇଟ କର୍ଫ୍ୟୁ । ଛତିଶଗଡକୁ ଲାଗିଥିବା ୧୦ ଜିଲ୍ଲା ସହ ସାରାରାଜ୍ୟରେ ନାଇଟ କର୍ଫ୍ୟୁ କଟକଣା ଲାଗୁ କରାଯାଇଛି ।  ଆସନ୍ତାକାଲିଠାରୁ ଏହି କଟକଣା ଜାରି ହେବ । ଏହି ସବୁ ଜିଲ୍ଲାଗୁଡିକରେ ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତୀ ନିର୍ଦ୍ଦେଶ ଯାଏଁ ନାଇଟ କର୍ଫ୍ୟୁ ବଳବତର ରହିବ । ତେବେ  ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ବିଜୁଳି, ପାନୀୟ ଜଳ , ରନ୍ଧନ ଗ୍ୟାସ  ଓ ଅନ୍ୟ ଅତ୍ୟବାଶ୍ୟକ ସେବା ଏହି ସମୟରେ  ଯୋଗାଇଦେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ  । ନିଜ ଅନୁଷ୍ଠାନର ପରିଚୟପତ୍ର ଦେଖାଇ ଜରୁରୀକାଳୀନ ସେବାର କର୍ମଚାରୀମାନେ ଯିବାଆସିବା କରିପାରିବେ ।
  • ଛତିଶଗଡ ସୀମାକୁ ଲାଗିଥିବା  ୧୦ଟି ଜିଲ୍ଲାରେ କଟକଣାକୁ କଡାକଡି କରାଯାଇଛି ।  ୧୦ ଜିଲ୍ଲାର  ସହରାଂଚଳରେ ନାଇଟ କର୍ଫ୍ୟୁ ସମୟକୁ ବଦଳାଯାଇଛି ।  ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ଏହି ନାଇଟ କର୍ଫ୍ୟୁ ବଳବତର ରହିବ ।  ତେବେ ଗ୍ରାମାଂଚଳ ପାଇଁ ଏହି ୧୦ ଜିଲ୍ଲାର ନାଇଟ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ  ସକାଳ ୬ଟା ଯାଏଁ ରହିବ ।  ସେହିଭଳି  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ୧୦ ଜିଲ୍ଲାରେ ସହରାଂଚଳରେ ସପ୍ତାହନ୍ତ ସଟଡାଉନ  ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ସପ୍ତାହରୁ ପ୍ରତ୍ୟେକ ଶନିବାର ଓ ରବିବାର  ସଟଡାଉନ ରହିବ ।   ଏହି ୧୦ ଜିଲ୍ଲା ହେଲେ  ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରୁସୁଗୁଡା, ବଲାଙ୍ଗୀର,  କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି  । ଛତିଶଗଡରେ  କରୋନା ସଂକ୍ରମଣ ବଢିଚାଲିଛି । ।  ଆଜି ସୁନ୍ଦରଗଡରେ  ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାଛଡା ନୂଆପଡାରେ ବି ସଂକ୍ରମଣ ଚିନ୍ତା ବଢାଇଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ଛତିଶଗଡ ସୀମାକୁ ଲାଗିଥିବା ୧୦ ଜିଲ୍ଲାରେ କଟକଣାକୁ କଡାକଡି କରିଛନ୍ତି ।
  • ଅନ୍ୟପଟେ କରୋନାର ବଢୁଥିବା ସଂକ୍ରମଣ ଭିତରେ ଜନସମାଗମ  କେମିତି କମ ରହିବ ତା ଉପରେ ଅଧିକ ଫୋକସ କରାଯାଇଛି ।  ବିବାହ କାର୍ଯ୍ୟରେ ମାତ୍ର ୫୦ ଜଣ ହିଁ ସାମିଲ ହୋଇପାରିବେ ।  ପୂର୍ବରୁ ଏହି ସଂଖ୍ୟା ଶହେ ଥିଲା ।  ତେବେ କୋଭିଡ ସଂକ୍ରମଣ ବଢୁଥିବାରୁ ସଂଖ୍ୟାକୁ କମ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ସେହିପରି  ଅନ୍ତିମ ସଂସ୍କାରରେ  ସର୍ବାଧିକ ୨୦ ଲୋକ ସାମିଲ ପାଇଁ ଅନୁମତି ଦିଆଯାଇଛି । ପୂର୍ବରୁ ଏହା ୫୦ ଥିଲା ।  ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ । ଆଉ ନିୟମକୁ କଡାକଡି ଭାବେ ପାଳନ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି  ସରକାର ।
  • ସେହିପରି ହୋଟେଲ, ବାର ଓ ରେଷ୍ଟୁରାଂଟ ଗୁଡିକ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଚାଲିବ । ଗ୍ରାହକ ଓ କର୍ମଚାରୀ କରୋନା କଟକଣା ମାନିବେ । ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ । ଯଦି କେହି ଏହାକୁ ଅମାନ୍ୟ କରନ୍ତି ତେବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସଂପୃକ୍ତ ହୋଟେଲ, ବାର ଓ ରେଷ୍ଟୁରାଂଟକୁ ସିଲ୍ କରାଯିବ । ସେହିଭଳି ଅପେରା ଓ ଯାତ୍ରା ପାଇଁ ଯେଉଁ ୨ ହଜାର ଦର୍ଶକଙ୍କୁ ଅନୁମତି ଥିଲା ତାହାକୁ ୧ ହଜାରକୁ କମେଇ ଦିଆଯାଇଛି । ଏହାସହ ପ୍ରତି ଦର୍ଶକଙ୍କ ମଧ୍ୟରେ ୬ ଫୁଟ୍ର ଦୂରତା ବାଧ୍ୟତାମୂଳକ ରହିବ । ଯାତ୍ରା ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅନୁମତି ଜରୁରୀ । ସିନେମା ହଲ ଗୁଡିକ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ । ଖୋଲା ପଡିଆରେ ମେଳା ଓ ମୀନା ବଜାର ଚାଲି ପାରିବ । ହେଲେ ପୁରା ଦିନରେ ୨ ହଜାର ଲୋକ ହିଁ ଏସବୁରେ ସାମିଲ ହୋଇପାରିବେ ।
  • ଅନ୍ୟପଟେ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ସରକାର । ଆସନ୍ତା ସୋମବାର ଠାରୁ ବାହାର ରାଜ୍ୟରୁ ଓଡିଶାକୁ କୌଣସି ବସ୍ ଆସି ପାରିବ ନାହିଁ, କି ଓଡିଶାରୁ ରାଜ୍ୟ ବାହାରକୁ ବସ ଯାଇ ପାରିବ ନାହିଁ । ସେହିଭଳି ରାଜ୍ୟ ଭିତରେ ବସ ଚଳାଚଳ କରିବ । କିନ୍ତୁ କଟକଣା ଭିତରେ । ବସ୍ ଗୁଡିକରେ ଯେତିକି ସିଟ୍ ରହିଛି, ସେତିକି ଯାତ୍ରୀ ଯାତାୟାତ କରିପାରିବେ । ଠିଆ ହୋଇ କୌଣସି ଯାତ୍ରୀ ବସ୍ରେ ଯାଇ ପାରିବେ ନାହିଁ । ସେହିଭଳି କାର ଓ ଅଟୋରିକ୍ସାରେ କେବଳ ୨ ଜଣ ଯାତ୍ରୀ ହିଁ ଯାଇ ପାରିବେ । ଅର୍ଥାତ୍ ଡ୍ରାଇଭରଙ୍କୁ ମିଶାଇ ମୋଟ୍ ୩ ଜଣ ଯାତ୍ରୀ ପରିବହନ କରିପାରିବେ ଅଟୋରିକ୍ସା ଓ କାର ।
  • ପ୍ରଥମ ପର୍ଯ୍ୟାୟ କରୋନା କମିଯିବା ପରେ ବନ୍ଦ ହୋଇପଡିଥିବା କୋଭିଡ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି । କରୋନାର ପ୍ରଥମ ପର୍ଯ୍ୟାୟ ସଂକ୍ରମଣରେ ସାରା ରାଜ୍ୟରେ କାର୍ଯ୍ୟକ୍ଷମ ଥିବା କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୪୦ଟି କୋଭିଡ ହସ୍ପିଟାଲକୁ ପୁନଃକାର୍ଯ୍ୟକ୍ଷମ କରାଯାଉଛି । ଏହାସହ ଭେଂଟିଲେଟର, ଆଇସିୟୁ, ଅକ୍ସିଜେନ୍ ୟୁନିଟ୍ ଗୁଡିକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । କିନ୍ତୁ ବଡ ପ୍ରଶ୍ନ ହେଉଛି, ବନ୍ଦ ପଡିଥିବା କୋଭିଡ ହସ୍ପିଟାଲକୁ କେତେ ଶୀଘ୍ର ସରକାର ସମ୍ପୁର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ କରିପାରିବେ ।
  • କରୋନା କାଳରେ ବିଭିନ୍ନ କାର୍ଯ୍ୟାଳୟ ଖୋଲା ରହିବ । ସରକାରୀ ହେଉ ବା ବେସରକାରୀ ଅଫିସରେ କର୍ମଚାରୀ କାମ କରିପାରିବେ । ହେଲେ ଭୂତାଣୁ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ କାର୍ଯ୍ୟାଳୟରେ ବି କରୋନା କଟକଣା ମାନିବାକୁ ପଡିବ । ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦେଶ ଦିଆଯାଇଛି । ଘରୋଇ କାର୍ଯ୍ୟାଳୟରେ କମ ସଂଖ୍ୟାରେ କର୍ମଚାରୀ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । କାର୍ଯ୍ୟାଳୟ ଭିତରେ କେହି ଖୋଲାମୁହଁରେ କଥାବାର୍ତା କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରି କାମ କରିବାକୁ କୁହାଯାଇଛି । ଏବଂ ଘରୋଇ କାର୍ଯ୍ୟାଳୟର ମୁଖ୍ୟ ଏଥିପ୍ରତି ନଜର ରଖିବେ ଏବଂ କୋଭିଡ ନିୟମ ପାଳନ ନହେଲେ ସେ ଦାୟୀ ରହିବେ ବୋଲି କୁହାଯାଇଛି ।