କାଲିଠାରୁ ଓଡିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ଆଜିଠୁ ଜୋରଦାର ହେଲା ଚେକିଂ । ସେପଟେ ଦୈନିକ ସଂକ୍ରମଣ ୪୭୧କୁ ବୃଦ୍ଧି

269

କନକ ବ୍ୟୁରୋ: ନାଇଟ କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ସୁନ୍ଦରଗଡର ଡେଲି ମାର୍କେଟରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବଜାରରେ ଲାଗିଥିବା ଭିଡ ଭିତରେ ନା ଅଛି ସାମାଜିକ ଦୂରତା ରହିଛି ନା କେହି ମାସ୍କ ପିନ୍ଧିଛନ୍ତି । କାହାର ବି କରୋନା ସଂକ୍ରମଣକୁ ଖାତିର ନାହିଁ । କେବଳ ସୁନ୍ଦରଗଡ ନୁହେଁ, ନବରଙ୍ଗପୁରରେ ମଧ୍ୟ ସେହି ସମାନ ଅବସ୍ଥା । ହେଲେ ଏଠାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ଜରିମାନା ଆଦାୟ କରିଛି ନବରଙ୍ଗପୁର ପୁଲିସ ।

ଗୋଟିଏ ପଟେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡିଶାକୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି । ଏହି ୧୦ଟି ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ, ଝାରସୁଗୁଡା, ସଂବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି । ପ୍ରାୟ ସମସ୍ତ ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗିଛି।

ନାଇଟ କର୍ଫ୍ୟୁ କଟକଣା

  • ରାତି ୧୦ରୁ ସକାଳ ୫ଟା ଯାଏଁ କଟକଣା ଜାରି ରହିବ
  • ଜରୁରୀ ସେବାକୁ କଟକଣାରୁ ବାଦ ଦିଆଯାଇଛି
  • ବ୍ୟକ୍ତିଗତ ଯାତାୟତ ଉପରେ କଟକଣା
  • ସାଧାରଣ ପରିବହନକୁ ଅନୁମତି
  • ବିଜୁଳି , ଅଗ୍ନିଶମ ସେବା, ଟେଲିକମ୍ , ଜଳ ଯୋଗାଣ ଓ ରେଳବାଇ, ବିମାନ ସେବା ଯୋଗାଉଥିବା କର୍ମଚାରୀ ଯାତାୟତ କରିପାରିବେ 
  • ସମସ୍ତ ଶିଳ୍ପ ସଂସ୍ଥା, ଔଷଧ ଦୋକାନ ଖୋଲା ରହିବ, ନିର୍ମାଣ କାର୍ଯ୍ୟ ଜାରି ରହିବ
  • ଗ୍ରୋସରୀ, ପନିପରିବା, ଅଣ୍ଡା, ମାଛ, ମାଂସ, ରେଷ୍ଟୁରାଂଟରୁ ଖାଦ୍ୟ ମଗାଇ ପାରିବେ 

ଏହାରି ଭିତରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ନୂଆ ରେକର୍ଡ଼ କରୁଛି । ୫ ମାସ ପରେ ୨୪ ଘଂଟାରେ ୯୩ ହଜାର ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧୩ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ ଘଂଟା ଭିତରେ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ଜଣ, କଳାହାଣ୍ଡି ୫୦, ଖୋର୍ଦ୍ଧାରୁ ୪୦, ନୂଆପଡ଼ାରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।