ନିଆଳିରେ ବାଟବଣା ହେଉଛି ବସୁଧା ଯୋଜନା : ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଲାଣି ୧୦କୋଟି ତଥାପି ମିଳୁନି ପାଣି

156

କନକ ବ୍ୟୁରୋ : ନିଆଳିରେ ବାଟବଣା ବସୁଧା ଯୋଜନା । ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା କିଭଳି ବାଟବଣା ହୋଇଛି ତାର ଚିତ୍ର ନିଆଳିରେ ଦେଖିବାକୁ ମିଳିଛି । ସରକାରୀ ତଥ୍ୟ ଅନୁସାରେ ପାଖାପାଖି ୩୦ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ସରିଲାଣି ୧୦ କୋଟିରୁ ଅଧିକ ଟଙ୍କା । ହେଲେ କେଉଁଠି ବି ମୁନ୍ଦିଏ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି ।

ଖରାଦିନ ଆରମ୍ଭରୁ ଉତ୍କଟ ହେଲାଣି ଜଳ କଷ୍ଟ । ନିଆଳିର ୧୫ଟି ପଂଚାୟତର ଲୋକ ଜଳ କଷ୍ଟ ଭୋଗୁଛନ୍ତି । ହେଲେ ଠିକଦାରଙ୍କ ନିମ୍ନ ମାନର କାମ ଯୋଗୁଁ କେଉଁଠି ଷ୍ଟାଣ୍ଡପୋଷ୍ଟ ଅଚଳ, ତ ଆଉ କେଉଁଠି କାମ କରୁନି ନଳକୂଅ । କେଉଁଠି ଗଛଲତା ମାଡି ଯାଇଥିବାର ଦେଖିବାକୁ ମିଳୁଛି । କୁହାଯାଉଛି ଏହି ୧୫ ପଂଚାୟତର ପ୍ରାୟ ୭୫ ହଜାର ଲୋକ ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି । ଯେଉଁ କେତୋଟି ଭଙ୍ଗା ଦଦରା ନଳକୂଅ କାମ କରୁଛି ସେଠାରୁ ପିଇବା ପାଣି ନେବାକୁ ଲୋକଙ୍କ ଲମ୍ବା ଧାଡି ଲାଗୁଛି ।

କୁହାଯାଉଛି ପ୍ରଶାସନକୁ ହାତକରି ଠିକାଦାର ଭଙ୍ଗା ନଳକୂଅରେ ରଙ୍ଗମାରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଛନ୍ତି । ତେବେ ବଡଧରଣର ଦୁର୍ନୀତିରେ କେଉଁମାନେ ସଂପୃକ୍ତ ଅଛନ୍ତ, ତାର ଖୋଳତାଡ କରିବାକୁ ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ । ନହେଲେ ରାଜ୍ୟ ସରକାର ଗତ ୨୦୦୦ ମସିହାରୁ ଆରମ୍ଭ କରିଥିବା ବସୁଧା ଯୋଜନା ତାର ଲକ୍ଷ୍ୟ ହାସଲ କରିପାରିବ ନାହିଁ ।