ମହଙ୍ଗା ପଡ଼ିଛି ଅଖତାର ଖାନଙ୍କ ପାକିସ୍ତାନ ଲିଙ୍କ୍ ! ୪ ତାରିଖରେ ଦିଲ୍ଲୀ ଏନଆଇଏ ମୁଖ୍ୟାଳୟରେ ହାଜର ହେବେ ଅଖତାର

21

କନକ ବ୍ୟୁରୋ : ଲାହୋରରୁ ଫୋନ୍ ଆସୁଥିଲା, କଟକରୁ ଫୋନ୍ ଯାଉଥିଲା । ଉଭୟଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ଫୋନରେ ଚାଲିଥିଲା କଥାବାର୍ତା । ବାରମ୍ବାର ପାକିସ୍ତାନରୁ ଏମିତି ଗୋଟିଏ ନମ୍ବରରୁ କଲ୍ ଆସିବା ଏବଂ କଟକରୁ ତାର ଜବାବ୍ ଯିବା, ଗୁଇନ୍ଦା ବିଭାଗର ସନ୍ଦେହକୁ ବଢ଼ାଇ ଦେଇଥିଲା । ଆଉ ତାର ପରେ ଆରମ୍ଭ ହୋଇଯାଇଥିଲା ଅଖତାରଙ୍କ କଲ୍ ଟ୍ୟାପିଂ । ଆଉ ଫୋନ୍ ଟ୍ୟାପିଂ ପରେ ଅଚାନକ୍ ନେମାଳର ଅଖତାର ଖାନ୍ ଘରେ ପହଂଚିଥିଲା ଏନଆଇଏ ଟିମ୍ । ଖାନ୍ ତଲାସ୍ ହେଲା, ଆରୁ ଘରୁ ଉଠାଇ ନେଇ ହେଲା ମାରାଥନ୍ ଜେରା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି-ସାଉଦି ଆରବରେ କାମ କରୁଥିବା ବେଳେ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲେ ଅଖତାର । ଆଉ ତାଙ୍କ ସହ ଫୋନରେ କଥା ହେଉଥିଲେ । କୋଲକତାରୁ ବି ଅନୁରୁପ ଭାବରେ ଏମିତି କଲ୍ ଆସୁଥିଲା । ଯାହା ଗୁଇନ୍ଦା ବିଭାଗର ସନ୍ଦେହକୁ ବଢ଼ାଇ ଦେଇଥିଲା । ଦୀର୍ଘ ୭ ଘଂଟାର ଜେରା ପରେ ଅଖତାରଙ୍କୁ ଛାଡ଼ି ଦିଆଯାଇଥିଲା । କୁହାଯାଉଛି-ଅଖତାରଙ୍କ ପାଖରୁ କୌଣସି ସନ୍ଦେହ ଜନକ ତଥ୍ୟ ମିଳିନାହିଁ । କିନ୍ତୁ ଏତିକିରେ କଥା ସରିନି, ଦିଲ୍ଲୀ ଏନ୍ଆଇଏ ମୁଖ୍ୟାଳୟକୁ ଯାଇ ହାଜରି ହେବାକୁ ନୋଟିସ୍ ହୋଇଛି । ହେଲେ ଆର୍ଥିକ ସ୍ଥିତି ଭଲ ନଥିବାରୁ କେମିତି ଦିଲ୍ଲୀ ଯିବେ ବୋଲି ପ୍ରଶ୍ନ କରିଛନ୍ତି ଅଖତାର ।

ଏମିତି ଅନେକ ପ୍ରଶ୍ନ ଏବେ ଅଖତାରଙ୍କ ସାମାଜିକ ଜୀବନରେ ନେଇ ଆସିଛି ଏକ ଝଡ଼ । ଯାହାକୁ ସାମ୍ନା କରିବା ବର୍ତମାନ ପାଇଁ ଅଖତାରଙ୍କ ପରିବାରଙ୍କ ଏକ ବଡ ଆହ୍ୱାନ ପାଲଟିଛି । ପରିବାର ଲୋକ କିଛି ବୁଝିପାରୁନଥିବା ବେଳେ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି ଦାବି କରୁଛନ୍ତି ଅଖତାର ।