ଦେଶରେ ବଢୁଛି ଆମିଷ ଖାଇବା ଲୋକଙ୍କ ସଂଖ୍ୟା । ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ 

235

କନକ ବ୍ୟୁରୋ : ଦେଶରେ ଆମିଷ ଖାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ ୨୦୧୫-୧୬ ଓ ୨୦୧୯-୨୧ ମଧ୍ୟରେ ଅର୍ଥାତ୍ ୬ ବର୍ଷ ଭିତରେ ଆମିଷ ଭୋଜନରେ ଭାରତୀୟ ପୁରୁଷଙ୍କ ହାର ଲଗାତର ବଢ଼ିଚାଲିଛି । ୨୦୧୯-୨୧ରେ ହୋଇଥିବା ଏହି ସର୍ଭେ ଅନୁସାରେ ୧୫ରୁ ୪୯ ବର୍ଷ ବୟସ ବର୍ଗର ୧୬ ଦଶମିକ ୬ ପ୍ରତିଶତ ପୁରୁଷ କେବେବି ଆମିଷ ଭୋଜନ କରିନାହାନ୍ତି ।

ସେହିପରି ଏହି ବୟସ ବର୍ଗର ୨୯ ଦଶମିକ ୪ ପ୍ରତିଶତ ମହିଳା କେବେବି ଆମିଷ ଖାଇନଥିବା ସର୍ଭେରୁ ଜଣାପଡ଼ିଛି । ୧୫ରୁ ୪୯ ବର୍ଷ ବୟସ ବର୍ଗର ୮୩ ଦଶମିକ ୪ ପ୍ରତିଶତ ପୁରୁଷ ଏବଂ ୭୦ ଦଶମିକ ୬ ପ୍ରତିଶତ ମହିଳା ପ୍ରତିଦିନ କିମ୍ବା ସପ୍ତାହାନ୍ତ ଆମିଷ ଭୋଜନ କରିବାକୁ ପସନ୍ଦ କରନ୍ତି । ପୂର୍ବ ସର୍ଭେରେ ୭୮ ଦଶମିକ ୪ ପ୍ରତିଶତ ପୁରୁଷ ଓ ୭୦ ପ୍ରତିଶତ ମହିଳା ଆମିଷ ଭୋଜନ କରୁଥିବା ସାମ୍ନାକୁ ଆସିଥିଲା । କିନ୍ତୁ ସପ୍ତାହାନ୍ତ ମାଂସ ସେବନକାରୀଙ୍କ ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

୨୦୧୯-୨୧ର ସର୍ଭେ ରିପୋର୍ଟ ଅନୁସାରେ ୫୭ ଦଶମିକ ୩ ପ୍ରତିଶତ ପୁରୁଷ ଓ ୪୫ ଦଶମିକ ୧ ପ୍ରତିଶତ ମହିଳା ସପ୍ତାହରେ ଥରେ ମାଛ, ଚିକେନ କିମ୍ବା ମାଂସ ଖାଉଥିବା ସ୍ୱୀକାର କରିଛନ୍ତି, ଯାହା ୨୦୧୫-୧୬ର ରିପୋର୍ଟ ଅନୁସାରେ ବହୁତ ଅଧିକ ରହିଛି । ଏହି ସର୍ଭେ ରିପୋର୍ଟ ଅନୁସାରେ, ଦକ୍ଷିଣ ଭାରତରେ ଆମିଷ ଖାଉଥିବା ଲୋକଙ୍କ ହାର ଅଧିକ ରହିଥିବା ବେଳେ ଉତର-ପଶ୍ଚିମରେ ଏହି ହାର କମ୍ ରହିଛି । ୨୦୧୯-୨୧ ସର୍ଭେରେ ଲାକ୍ଷାଦ୍ୱୀପରେ ସର୍ବାଧିକ ୯୮ ଦଶମିକ ୪ ପ୍ରତିଶତ ଆମିଷ ଖାଉଥିବା ବେଳେ ରାଜସ୍ଥାନରେ ସର୍ବନିମ୍ନ ୧୪ ଦଶମିକ ୧ ପ୍ରତିଶତ ଲୋକେ ଆମିଷ ଖାଉଛନ୍ତି ।