କନକ ବ୍ୟୁରୋ: ହସ୍ତ ଶିଳ୍ପ ପାଇଁ ପ୍ରସିଦ୍ଧ ନବରଙ୍ଗପୁର ଜିଲ୍ଲାର "ରଟ ଆଇରନ କ୍ରାଫ୍ଟ "। "ରଟ ଆଇରନ କ୍ରାଫ୍ଟ " ର ଜିନିଷ ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୧୫ ସଦସ୍ୟ । ନବରଙ୍ଗପୁରର ଲାଖ କାରୁକାର୍ୟ୍ୟ ସହ ଅନ୍ୟ ହସ୍ତ ଶିଳ୍ପର ବେଶ ଚାହିଦା ରହିଛି । ତେବେ ଜିଲ୍ଲାର ବହୁ ପ୍ରାଚୀନ ହସ୍ତ ଶିଳ୍ପ ମଧ୍ୟରେ ଲୌହ ହସ୍ତଶିଳ୍ପ କଳା ଅନ୍ୟତମ । ପଡୋଶୀ ଛତିଶଗଡ଼ର ବସ୍ତରର ଅଞ୍ଚଳରେ ଲୌହ ଶିଳ୍ପ କଳାର ଚାହିଦା ଏବେ ବୃଦ୍ଧି ପାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଲୌହ ଶିଳ୍ପକଳା ଏତେଟା ପ୍ରସିଦ୍ଧି ହାସଲ କରିପାରି ନାହିଁ । କିନ୍ତୁ ଜିଲ୍ଲା ପ୍ରଶାସନ ବିଭିନ୍ନ ମେଳା ପ୍ରଦର୍ଶନୀ ଷ୍ଟଲରେ ସୁଯୋଗ ଦେଇ ବ୍ୟବସାୟର ରାସ୍ତା ଖୋଲିଛନ୍ତି । ଯାହାଫଳରେ ରାସ୍ତା କଡରେ ବସି ବିକ୍ରି କରୁଥିବା କାରିଗର ସମ୍ମାନ ପାଇବା ସହ ନିଜ କଳାକୃତିର ଉଚିତ ମୂଲ୍ୟ ପାଉଛନ୍ତି ।
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ବିଞ୍ଜିଲି ପଞ୍ଚାୟତ ଅନ୍ତର୍ଗତ ଅମଳାଭଟ୍ଟା ଗାଁରେ ରୁହନ୍ତି ଲୁହା କାରିଗର ଜଗନ୍ନାଥ ବିନ୍ଧାଣି । ବୟସର ଅପରାହ୍ନରେ ବି ସେ ଲୌହ ହସ୍ତଶିଳ୍ପ କାମ ଜାରି ରଖିଛନ୍ତି । ଲୁହାକୁ ଗରମ କରି ହାତୁଡ଼ିରେ ପିଟିପିଟି ବିଭିନ୍ନ ଆକୃତିର କଳାକୃତି ତିଆରି କରନ୍ତି । ତାଙ୍କୁ ଏହି କାମରେ ସହଯୋଗ କରନ୍ତି ତାଙ୍କ ପରିବାର ସଦସ୍ୟ । ଗାଁରେ ଥିବା ୩ଟି ବିନ୍ଧାଣି ପରିବାରର ୧୫ ଜଣ ସଦସ୍ୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଜଗନ୍ନାଥଙ୍କ ଠାରୁ ଲୁହା କାମ ଶିଖି ସେହି କାମ କରୁଛନ୍ତି । ଜଗନ୍ନାଥ ବିନ୍ଧାଣି ଓ ଅନ୍ୟ ସଦସ୍ୟ ମାନେ ୨୦୦୨ରେ କେନ୍ଦ୍ର ସରକାରଙ୍କ ଟ୍ରାଇଫେଡ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ତାଲିମ ଶିବିରରେ ଲୌହ ହସ୍ତଶିଳ୍ପ କାରୁକାର୍ୟ୍ୟ ତାଲିମ ନେଇଥିଲେ । ସେହିଦିନ ଠାରୁ ଅଳ୍ପ କିଛି କିଛି କାମ କରି ଜଗନ୍ନାଥ ଓ ଅନ୍ୟ କାରିଗର ଏହି ଲୁପ୍ତ ପ୍ରାୟ ଶିଳ୍ପକୁ ବଞ୍ଚାଇ ରଖିଛନ୍ତି । ଦିନେ ଚାଷ ଜମିରେ ବ୍ୟବହୃତ ସାମଗ୍ରୀ ତିଆରି କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତମାନ ସୁକ୍ଷ୍ମ କାରୁକାର୍ୟ୍ୟରେ ମୂର୍ତ୍ତି ଓ ବିଭିନ୍ନ ପ୍ରକାର ଘରସଜା ଜିନିଷ ତିଆରି କରୁଛନ୍ତି । ସେଥିରୁ କିଛି ରୋଜଗାର କରୁଥିବା ବେଳେ ଖୁସିରେ ପରିବାର ପ୍ରତିପୋଷଣ କରୁଛନ୍ତି ।
ପଡ଼ୋଶୀ ରାଜ୍ୟ ଛତିଶଗଡ଼ ବସ୍ତରରେ ଏହି କଳାକୁ ନେଇ ଅନେକ ବଜାର ସୁବିଧା ଥିବାବେଳେ କୋଷାଗୁମୁଡାର ଏହି କାରିଗର ମାନଙ୍କ ପାଖରେ ନାହିଁ ବଜାର ବ୍ୟବସ୍ଥା । କି ପ୍ରଚାର ପ୍ରସାରର ବି ହେଉନାହିଁ । ଫଳରେ ଓରମାସର ପଲ୍ଲିଶ୍ରୀ ମେଳା ହିଁ ଭରସା ପାଲଟିଛି । ରାଜ୍ୟ ତଥା ରାଜ୍ୟ ବାହାର ମେଳାକୁ ଯାଇ ସେମାନଙ୍କର କଳା ପ୍ରଦର୍ଶନ କରନ୍ତି ଏହି କାରିଗର । ସରକାରଙ୍କ ପକ୍ଷରୁ ସେଭଳି କୌଣସି ଆଖି ଦୃଶିଆ ସହାୟତା କି ପେନସନ ମଧ୍ୟ ସେମାନଙ୍କୁ ମିଳୁନାହିଁ । ତେବେ କୋଶାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ଓରମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚାଳିତ ହସ୍ତଶୀଳ୍ପ କେନ୍ଦ୍ର ନବରଙ୍ଗୀ ବଜାରରେ ଏହି ଲୌହ ହସ୍ତ ଶିଳ୍ପର କଳାକୃତି ଗୁଡିକ ବିକ୍ରି ପାଇଁ ରଖାଯାଇଛି । କଳାର ଅଧିକ ପ୍ରଚାର ପ୍ରସାର ପାଇଁ ଓରମାସ ସହଯୋଗରେ ତାଲିମ ବ୍ୟବସ୍ଥା କରାଯିବା ସହ ସେମାନଙ୍କ କଳାକୃତିକୁ ବଞ୍ଚାଇ ରଖିବା ପାଇଁ ସାହାଯ୍ୟ କରାଯିବ ବୋଲି କୋଷାଗୁମୁଡା ବିଡ଼ିଓ କହିଛନ୍ତି । ପ୍ରଶାସନ ପକ୍ଷରୁ କାରିଗର ମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେଲେ ଏହି ପୁରାତନ କଳା ବଂଚିପାରନ୍ତା ।