କନକ ବ୍ୟୁରୋ: ଦୀର୍ଘ ୮ ମାସର କଳ୍ପନାଜଳ୍ପନା ପରେ, ଶେଷରେ ଓଡ଼ିଶା କଂଗ୍ରେସକୁ ମିଳିଛି ନୂଆ ମୁଖିଆ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ । ଏଥିସହ ମୁରବୀ ବିହୀନ ହେଇପଡିଥିବା ଓଡିଶା କଂଗ୍ରେସକୁ ମିଳିଛି, ନୂଆ ମୁଖିଆ । ତେବେ ଓଡ଼ିଶା କଂଗ୍ରେସ ମୁଖିଆ ହେବାକୁ ଏକାଧିକ ନେତା ଲିଷ୍ଟରେ ଥିଲେ ବି, ବାଜି ମାରିନେଇଛନ୍ତି ଭକ୍ତ ଦାସ ।

Advertisment

ଖାସ୍ କରି ପୂର୍ବତନ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭଳି ନେତା ଏହି ଆସନ ପାଇଁ ଜୋରଦାର ଲବି ଚଲେଇଥିଲେ, ଶେଷରେ କିନ୍ତୁ ଭକ୍ତଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଦିଲ୍ଲୀ ମୁଖିଆ । ଆଉ ଏହା ପଛରେ ହିଁ, ୩ରୁ ୪ଟି ପ୍ରମୁଖ କାରଣ ଥିବା କୁହାଯାଉଛି ।

ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ

ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ଗାନ୍ଧୀ ପରିବାରର ନିକଟତର ବୋଲି କୁହାଯାଏ । ଏପରିକି ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ବେଶ ଖାସ୍ ବୋଲି ସମସ୍ତେ ଜାଣନ୍ତି । ଏଥିସହ ବର୍ତ୍ତମାନ କଂଗ୍ରେସ ସଭାପତି ଥିବା ମଲ୍ଲିକାର୍ଜୁନ୍ ଖଡଗେଙ୍କ ସହ ଭକ୍ତଙ୍କର କୁଆଡେ ଭଲ ସମ୍ପର୍କ ରହିଛି । ଯେଉଁ କାରଣରୁ ତାଙ୍କୁ ଓଡ଼ିଶା କଂଗ୍ରେସର ଦାୟିତ୍ୱ ମିଳିଛି ବୋଲି ଚର୍ଚ୍ଚା ହେଉଛି ।

ଦୀର୍ଘ ବର୍ଷର ଅଭିଜ୍ଞତା

ଜଣେ କଂଗ୍ରେସ ନେତା ଭାବେ ଭକ୍ତ ଦାସଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଥରେ ବିଧାୟକ ଏବଂ ତିନି ଥର କଂଗ୍ରେସ ସାଂସଦ ଭାବେ ତାଙ୍କର ଅଭିଜ୍ଞତା ରହିଛି । ୧୯୮୫ ମସିହାରେ ସେ ଭବାନୀପାଟଣା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଜିଣି, ବିଧାନସଭାକୁ ଆସିଥିଲେ । ଏହାପରେ ପରେ ସେ ୧୯୮୯, ୧୯୯୬ ଏବଂ ୨୦୦୯ ମସିହାରେ ଲୋକସଭା ନିର୍ବାଚନ ଜିତିଥିଲେ । ତେଣୁ ଦୀର୍ଘ ବର୍ଷର ତାଙ୍କ ରାଜନୈତିକ ଅଭିଜ୍ଞତାକୁ ଦେଖି ତାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ଚର୍ଚ୍ଚା ହେଉଛି ।

ଦଳିତ ଚେହେରା

ରାଜ୍ୟ କଂଗ୍ରେସର ଓଡ଼ିଶାରେ ଗୋଟିଏ ସ୍ୱତନ୍ତ୍ର ଭୋଟ୍ ବ୍ୟାଙ୍କ୍ ରହିଛି । ଆଉ ଭକ୍ତ ଦାସ ହେଉଛନ୍ତି ଦଳିତ ବର୍ଗର । ତେଣୁ ତାଙ୍କୁ ସଭାପତି ଆସନରେ ବସେଇ, ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳିତ ବର୍ଗର ଭୋଟ୍ ହାତେଇବାକୁ ଆଖି ରଖିଛି କଂଗ୍ରେସ । ଖାଲି ସେତିକି ନୁହେଁ, ଦଳିତ ବର୍ଗର ହେବା ସହ ତାଙ୍କର ଦିଲ୍ଲୀ ଲବି ମଧ୍ୟ କାମ କରିଛି ବୋଲି ରାଜନୈତିକ ପଣ୍ଡିତମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

ଜାଣିରଖିବା ଉଚିତ୍ ଯେ, ଗତବର୍ଷ ନର୍ଲା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେଇ ଭାଗ୍ୟ ପରୀକ୍ଷା କରିଥିଲେ ଭକ୍ତଚରଣ ଦାସ । ହେଲେ ବିଜେଡି ପ୍ରାର୍ଥିନୀ ମନୋରମା ମହାନ୍ତିଙ୍କଠାରୁ ସେ ପରାଜିତ ହେଇଥିଲେ । ନିର୍ବାଚନରେ ୬୨ ହଜାରରୁ ଅଧିକ ଭୋଟ୍ ପାଇ ବି ଦ୍ୱିତୀୟ ସ୍ଥାନରେ ରହିଥିଲେ ଭକ୍ତ ଦାସ । ତା ପୂର୍ବରୁ ମଧ୍ୟ ୨୦୧୯ରେ ସେ କଳାହାଣ୍ଡି ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ହେଲେ ସେଥର ମଧ୍ୟ ସେ ତୃତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଏହି ଆସନରୁ ନିର୍ବାଚନ ଜିତିଥିଲେ, ଆଉ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଦ୍ୱିତୀୟ ସ୍ଥାନରେ ରହିଥିଲେ ।