କନକ ବ୍ୟୁରୋ : ରାଜନୀତିରେ ନବ ଦାସ ହତ୍ୟାକାଣ୍ଡ । ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ପୁଣି ଥରେ ସୃଷ୍ଟିହେଲାଣି ବିବାଦ । ଏହାରି ଭିତରେ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିବାକୁ ବସିଲାଣି । ହେଲେ ଲାଗୁଛି ଏବେ ବି କ୍ରାଇମବ୍ରାଞ୍ଚର ହାତ ଖାଲି । ଗୋପାଳ ଦାସଙ୍କୁ ଗିରଫ କରି ପୋଲିସ କ୍ରାଇମବ୍ରାଞ୍ଚ ବସିଯାଇଛି । ହେଲେ ଏବେ ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟାରୀ ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ କେବଳ ଗୋପାଳ ଦାସର ବନ୍ଧୁକରୁ ନୁହେଁ ବରଂ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା କଥା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଯାହାକି ଏବେ ଘଟଣାକୁ ନେଇ ସସପେନ୍ସ ବଢ଼ାଇ ଦେଇଛି । ପ୍ରଶ୍ନ, ନବ ଦାସଙ୍କୁ ମାରିଲା କିଏ? 

Advertisment

ନବଦାସ ହତ୍ୟା ମାମଲାରେ ବାଟବଣା ହୋଇଛି କି ତଦନ୍ତ? ହତ୍ୟାକାଣ୍ଡ ପରେ କ୍ରାଇମବ୍ରାଞ୍ଚ ଯେଉଁପରି ଭାବରେ ତଦନ୍ତ ରିପୋର୍ଟ ଦେଇଛି, ସେହିପରି ଭାବେ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟାରୀର ରିପୋର୍ଟ କିନ୍ତୁ ଆସିନାହିଁ । ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ । ଯଦି ଏ ଘଟଣା ସତ ହୋଇଥାଏ ତେବେ, କାହିଁକି ପୂର୍ବ ସରକାରରେ ନବ ଦାସଙ୍କ ହତ୍ୟା ମାମଲାକୁ ଚପାଇ ଦିଆଗଲା? ଯଦି କ୍ରାଇମବ୍ରାଞ୍ଚ ସଠିକ୍‌ ତଦନ୍ତ କରିଥିଲା ତେବେ ପିଲ୍ଡ ରିପୋର୍ଟରେ କାହିଁକି ଆସିଲା ଅଲଗା ତଥ୍ୟ? ବାରମ୍ୱାର ସିବିଆଇ ତଦନ୍ତ ଦାବି ହେଉଥିଲେ ବି କାହିଁକି ଅଣଦେଖା କରୁଥିଲେ ପୂର୍ବ ସରକାର? ଜାଣିଶୁଣି ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି ରୁଟି ସେକା ହେଉଥିଲା କି ? 

ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସ ଗିରଫ ହୋଇଥିଲେ ବି ଆଜି ଯାଏଁ ସତ ସାମ୍ନାକୁ ଆସିପାରିନାହିଁ । ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା ତାହା ଏବେ ବି ଅସ୍ପଷ୍ଟ? ପରିବାର ପକ୍ଷରୁ ବି ବାରମ୍ୱାର ସିବିଆଇ ତଦନ୍ତ ପାଇଁ ଦାବି କରିଆସୁଛନ୍ତି । ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ବିଫଳ ହେବା ପରେ କେବେ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର । 

କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ ରିପୋର୍ଟ ଅନୁସାରେ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା । ପ୍ରଥମ ଗାଡ଼ିରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ିରେ ତାଙ୍କର ସହ‌ଯୋଗୀମାନେ ବସିଥିଲେ। ସହଯୋଗୀଙ୍କ ଗାଡ଼ି ଧଳା ରଙ୍ଗର ଇନୋଭା ଥିବା ଜଣାପଡ଼ିଛି । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍‌ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳି ସହ ଏକ ମାଗାଜିନ୍‌, ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି। ଏହାସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ଅର୍ଥାତ୍‌ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ , ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା । କିନ୍ତୁ ଏସ୍‌ଏଫ୍‌ଏସ୍‌ଏଲ୍‌ର ରିପୋର୍ଟରେ ଏକ ଭିନ୍ନ କଥା ଉଲ୍ଲେଖ ଅଛି । ୨୦୨୩ ମସିହା ଫେବ୍ରୁଆରୀ ୨ ତାରିଖ ସକାଳ ୯ଟା ସମୟରେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ସମୟରେ ଦ୍ବିତୀୟ ଗାଡ଼ିରେ ୫ଟି ଗନ୍‌ ସଟ୍‌ ହୋଲ୍‌ ଅର୍ଥାତ୍‌ ଗୁଳି ଦ୍ବାରା ହୋଇଥିବା କଣା ମିଳିଥିଲା। କାରର ବାମ ପାର୍ଶ୍ବରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳି ଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରିନି।

ଗୋପାଳ ଦାସର ବନ୍ଧୁକରେ ଥିବା ସମସ୍ତ ଗୁଳିର ହିସାବ ମିଳୁଥିଲେ ହେଁ କେବଳ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳିର ପତ୍ତା ଏଯାଏଁ ମିଳିପାରିନି । ସେପଟେ, ପଛ କାର୍‌ରେ ଆଉ ୫ଟି ଗୁଳି ବାଜିଥିଲେ ହେଁ ସେ ଗୁଳି ଓ ଖୋକା ମିଳିପାରିନି। ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପଛ ଗାଡ଼ିଟି ସରକାରୀ ଥିବା ବେଳେ ସେହି ଗାଡ଼ିରେ ନବ ଦାସ ଥିବା ନେଇ ଆଶଙ୍କା ପରେ ଗୁଳି ବର୍ଷା କରାଯାଇଥିଲା କି ? କେତୋଟି ବନ୍ଧୁକ ପ୍ରକୃତରେ ବ୍ୟବହାର କରାଯାଇଥିଲା ? ଘଟଣାସ୍ଥଳରେ ଏତେ ଗୁଳି ମାଡ଼ ହେବା ପରେ କେହି କେମିତି କିଛି ଜାଣିପାରିନଥିଲେ ଆଦି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି । କୁହାଯାଉଛି କି ପୁଣି ଥରେ ପୁରା ଘଟଣାର ତଦନ୍ତ ହେବ ବୋଲି । ହେଲେ ଏ ଘଟଣା ସିବିଆଇ କରିବ କି ପୁଣି ଥରେ ସ୍ପେଶାଲ ଟିନ୍‌ ତଦନ୍ତ ପ୍ରକ୍ରିୟା ହାତକୁ ନେବ ତାହା ସମୟ କହିବଟ୍ଟ.