କନକ ବ୍ୟୁରୋ: ଦିନେ ଏମିତି ମଞ୍ଚରେ ଭାଷଣ ଦେଉଥିଲେ, ହେଲେ କିଏ ବା ଜାଣିଥିଲା, ମୁଖ୍ୟମନ୍ତ୍ରୀ ଚେୟାର ତାଙ୍କୁ ଅପେକ୍ଷା କରି ବସିଛି । ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିବା କ୍ୟାରିୟର ଆଜି ପହଞ୍ଚିଛି ଦିଲ୍ଲୀର ଦାୟିତ୍ୱ ସମ୍ଭାଳିବାରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା, ଆଉ ଦିଲ୍ଲୀରେ ହେବ ରେଖା ସରକାର ।
ରେଖା ଗୁପ୍ତାଙ୍କୁ ନ ଜାଣିଥିବା ଲୋକ, ଥରେ ତାଙ୍କ କ୍ୟାରିୟର ଉପରେ ଜାଣିନେବା ଉଚିତ୍ । ଛାତ୍ର ରାଜନୀତି, ଏବିଭିପି, ଆଉ ଆରଏସଏସ୍ ସହ ଜଡ଼ିତ ଥିବା ରେଖାଙ୍କ ରାଜନୈତିକ ସଫର୍ ଆରମ୍ଭ ହେଇଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଣ୍ଡରରେ ଆସୁଥିବା ଦୌଲତ ରାମ କଲେଜରୁ । ଯେଉଁଠି ସେ ଏବିଭିପିରେ ପ୍ରଥମ କରି ସାମିଲ ହେଇଥିଲେ । ଏ ଥିଲା ୧୯୯୨ ମସିହାର କଥା । ତେବେ ୟା ପରେ ପରେ, ୧୯୯୬-୯୭ ମସିହାରେ ରେଖା ବନନ୍ତି, ଡିୟୁ ବା ଦିଲ୍ଲୀ ୟୁନିଭର୍ସିଟିର ପ୍ରେସିଡେଣ୍ଟ । ଯେଉଁଠି ସେ ଛାତ୍ରଙ୍କ ସହ ଜଡ଼ିତ ଅନେକ ମୁଦ୍ଦାକୁ ଉଠାଇବା ସହ, ପରବର୍ତ୍ତୀ ମୁହୂର୍ତ୍ତରେ ବନିଯାଆନ୍ତି, ବିଜେପି ଯୁବ ମୋର୍ଚ୍ଚାର ବଡ଼ ଚେହେରା । ୨୦୦୪ରୁ ୦୬ ପର୍ୟ୍ୟନ୍ତ ସେ ବିଜେପିର ରାଷ୍ଟ୍ରୀୟ ସଚିବ ରୁହନ୍ତି, ଆଉ ୨୦୦୭ରେ ଉତ୍ତର ପୀତମପୁରା ଆସନରୁ ପାର୍ଷଦ ଭାବେ ନିର୍ବାଚନ ଜିତନ୍ତି ।
दिल्ली में भाजपा सरकार pic.twitter.com/5xfOYm2h6V
— BJP Delhi (@BJP4Delhi) February 20, 2025
ସ୍ଥାନୀୟ ନିର୍ବାଚନରେ ସଫଳତା ପରେ, ବିଧାନସଭା ନିର୍ବାଚନ ଜିତିବାକୁ ମନ ବଳାନ୍ତି ରେଖା । ଏଥିପାଇଁ ଦୁଇ ଦୁଇଥର ନିର୍ବାଚନ ମଧ୍ୟ ଲଢନ୍ତି । ହେଲେ ଏଥର କିନ୍ତୁ ଫେଲ୍ ମାରନ୍ତି, ଏହି ନାରୀ ନେତ୍ରୀ । ୨୦୧୫ ଆଉ ୨୦୨୦ରେ ନିର୍ବାଚନ ହାରିଯାଆନ୍ତି ରେଖା ଗୁପ୍ତା । ହେଲେ ତଥାପି ହାର୍ ମାନନ୍ତିନି, ଲୋକଙ୍କ ସହ ଜଡିତ ହେଇ ରୁହନ୍ତି । ୨୦୨୫ରେ ଆପ୍ ପ୍ରାର୍ଥୀଙ୍କୁ ହରେଇ, ପ୍ରଥମ ଥର ପାଇଁ ବିଧାୟକ ବନନ୍ତି ।
ପ୍ରଥମଥର ବିଧାୟକ ହେଇଥିବା ରେଖା, କେବେ ବି ବୋଧହୁଏ ଭାବିନଥିବେ, ତାଙ୍କୁ ମୁଖ୍ୟମନ୍ତ୍ରୀ ଭଳି ଗୁରୁ ଦାୟିତ୍ୱ ମିଳିପାରେ । ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି, ଆଉ ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଏବଂ ଅତୀଶିଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା ।