କନକ ବ୍ୟୁରୋ: ଶୀତ ଯାଇନି, ଜଳକଷ୍ଟ ସାଂଘାତିକ ରୂପ ଧାରଣ କଲାଣି। ପାନୀୟ ଜଳ ପାଇଁ ରାସ୍ତାକୁ ଓହ୍ଲାଇଲେଣି ଲୋକେ। ପୂର୍ବ ସରକାରର ନଳକୂପ ବନ୍ଦ କରିବା ନୀତି ଜଳସଙ୍କଟକୁ ଜନ୍ମ ଦେଇଥିବା ବେଳେ ଏବେ ଜଳକଷ୍ଟକୁ ଦୂର କରିବାକୁ ନୂଆ ସରକାର ଆରମ୍ଭ କରିଛନ୍ତି ପ୍ରୟାସ।
- ସରିନି ମାଘ, ଆରମ୍ଭ ହେଲାଣି ଜଳକଷ୍ଟ
- ଖରାଦିନ ପାଇଁ ଏବେଠୁ ପ୍ରସ୍ତୁତ ହେଲେଣି ସରକାର
ଶୀତ ସରିନି, କିନ୍ତୁ ସଂଘର୍ଷ ଆରମ୍ଭ ହେଲାଣି। ଆଉ ତାହା ବି ପୁଣି ପାନୀୟ ଜଳ ପାଇଁ। ନୀଳଗିରି ପାଟଣା ଛକର ଏ ଦୃଶ୍ୟ ବୟାନ କରୁଛି ଆଗକୁ ଭୟଙ୍କର ସଙ୍କଟ ଆଣିବ ଜଳଯନ୍ତ୍ରଣା। ପ୍ରଚଣ୍ଡ ଖରା ପୂର୍ବରୁ ଏବେ ଚୁଆ ପାଣିକୁ ଭରସିଛନ୍ତି ପାଟଣା ହରିଜନ ସାହିର ୬୦ ପରିବାର। କିନ୍ତୁ ଚୁଆ ପାଣି ପାଇଁ ବିଭିନ୍ନ ରୋଗ ହେଉଥିବାରୁ ସ୍ବଚ୍ଛ ପାନୀୟଜଳ ଯୋଗାଇଦେବାକୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବସୁଧା ଓ ମେଗା ଜଳ ଯୋଗାଣ ପ୍ରକଳ୍ପ କେବେ ଲୋକଙ୍କ କାମରେ ଆସିବ ବୋଲି ପ୍ରଶ୍ନ କରିଛନ୍ତି। ଏହାସହ ଗରା, ବାଲଟି ଧରି ରାଜରାସ୍ତା ଅବରୋଧ କରିବା ସହ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି। ଗ୍ରୀଷ୍ମରେ ଜଳକଷ୍ଟ ଉଗ୍ର ରୂପ ଧାରଣ କରିବ। ତେବେ ଏହା ପୂର୍ବରୁ ଜଳଯନ୍ତ୍ରଣାରୁ ଆଶ୍ବସ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର।
- ୭୦ ଜନସଂଖ୍ୟା ବିଶିଷ୍ଟ ଗାଁରେ ହେବ ନଳକୂପ
- ମଧୁର ପାଣି ପାଇଁ ଆଡିବନ୍ଧ ନିର୍ମାଣ ଉପରେ ଗୁରୁତ୍ବ
- ପାଣି ନ ପହଞ୍ଚି ପାରିଲେ ଟ୍ୟାଙ୍କର ଯୋଗେ ଦିଆଯିବ ପାନୀୟ ଜଳ
- ୨୦୨୫ ସୁଦ୍ଧା ୭୨ଟି ପାନୀୟ ଜଳ ପ୍ରକଳ୍ପ ଶେଷ ହେବ
ଅପହଞ୍ଚ ଇଲାକାରେ ଜଳ ସଙ୍କଟ ଦୂର କରିବାକୁ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳ ଓ ସରପଞ୍ଚଙ୍କୁ କ୍ଷମତା ମିଳିଛି। ସେହିଭଳି ପାନୀୟ ଜଳ ସଙ୍କଟ ନେଇ ଅଭିଯୋଗ ଆସିଲେ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।