କନକବ୍ୟୁରୋ : ଆଜି ଦୋଳପୂର୍ଣ୍ଣିମା ସବୁଠି ରହିଛି ଅନେକ ଉତ୍ସାହ , ସେହି ଉତ୍ସାହ ଗାଁ ଠୁ ଆରମ୍ଭ କରି ସବୁଠି ଦେଖିବାକୁ ମିଳିଛି , ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ ।
ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ ।
କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ । ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
ଏହି ହୋଳପୂର୍ଣ୍ଣିମା ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ଭାବେ ପାଳନ କରାଯାଏ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ l ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଲାଗି କରାଯିବ। । ଏନେଇ ଦୋଳ ବେଦିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଏ । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l
ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଫଗୁ ଓ ଅବିର ଖେଳିଥାନ୍ତି l ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବର୍ଣ୍ଣିତ ରହିଛି । ଦୋଳପୂର୍ଣ୍ଣିମା ପାଇଁ ରାତ୍ର ୩ ରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଛି l ୪ ଟା ସୁଦ୍ଧା ମଙ୍ଗଳ ଆଳତି ହେବା ପରେ ସକାଳ ୮ ରୁ ୯ ଟା ସୁଦ୍ଧା ହେବ ରାଜାଧିରାଜବେଶ । ୧୦ ଟା ୩୫ ସୁଦ୍ଧା ହେବ ରାଜାଧିରାଜ ବେଶ ମଇଲମ ବା ଓଲାଗି ହେବ ।
ଅପରାହ୍ନ ୧୨ ଟା ୩୦ ସୁଦ୍ଧା ଦୋଳବେଦୀକୁ ବିମାନ ବିଜେ କରିବେ ଦୋଳଗୋବିନ୍ଦ l ଦୋଳପୂର୍ଣ୍ଣିମାରେ ରାତ୍ର ୩ ଟା ୪୫ ସୁଦ୍ଧା ରାତ୍ର ପହୁଡ଼ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଶ୍ରୀମନ୍ଦିରରେ ସୁନା ବେଶ ଦର୍ଶନ ନେଇ ଦୋଳ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି l ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳବେଦି କୁ ଆସିବ ପରେ ବାହାର ଓ ଭିତର ପ୍ରଦକ୍ଷଣ କରିବା ସହ ଦୋଳବେଦୀରେ ବିଜେ କରିଥାନ୍ତି l ଏହି ସମୟରେ ଭକ୍ତମାନେ ଯେଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l
ଜାଣନ୍ତୁ ଏହା ପଛରେ ରହିଥିବା କିଛି ପୌରାଣିକ ତଥ୍ୟ
ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି ।
ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ । ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା ।
ଓଡିଶାରେ ମଧ୍ୟ ଏହି ଦୋଳ ପୂର୍ଣ୍ଣିମାକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଏ
ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ ।
ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ । ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ ।
ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିର, ଶିବ ମନ୍ଦିର, ଦେବୀ ମଦିରରେ କିମ୍ବା ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଚଉଦୋଳ ବା ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ । ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ - ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ - ସେମାନଙ୍କୁ ଦୁଆରେ ମଧ୍ୟ ପ୍ରଭୁ ଭୋଗ ଖାଇଥାନ୍ତି ।
ସେହିପରି ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଯ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ । ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ନିର୍ବିବାଦୀୟ ପୀଠରେ ବା ତାଙ୍କ ନିକଟରେ ଆୟୋଜିତ ହୋଇଥାଏ ଦୋଳ ମେଲଣ । ସେଠାରେ ପଞ୍ଚରାତ୍ର ବ୍ୟାପୀ ଚାଚେରୀରେ ସନ୍ଧ୍ୟାଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା ଓ ପରିଭ୍ରମଣ କରୁଥିବା ରାଧାକୃଷ୍ଣଙ୍କ ବିମାନ ଆସି ସାମୟିକ ରହିଥାଏ । ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ରହିଛି ।
ଏଥିସହ ଏହି ଦିନ ହୋଲିଦହନ ମଧ୍ୟ ପାଳନ କରାଯାଇଥାଏ
ନଡ଼ା ଗଦାକରି (ଅଇଘରା/ ଅଗିରା) ଦୋଳ ପୂର୍ଣ୍ଣିମୀ ରାତିରେ ବା ହୋଲି ଉତ୍ସବରେ ଯେଉଁ ଅଗ୍ନି ଜ୍ୱଳନର ପରମ୍ପରା ଅଛି, ତାହା ଭକ୍ତ ପ୍ରହ୍ଲାଦଙ୍କ ପୌରାଣିକ ଉପାଖ୍ୟାନ ସହିତ ସଂପୃକ୍ତ । ଆଖ୍ୟାନଟି ହୋଲିକା ଦହନ ନାମରେ ପରିଚିତ । ହୋଲିକା ଏକ ରାକ୍ଷସୀ ଓ ତାହାର ଦହନ ରାଜା ହିରଣ୍ୟକଶିପୁର ନାସ୍ତିକତା ପ୍ରେରିତ ଦୁଷ୍ଟ ଶକ୍ତି ଉପରେ ଭକ୍ତ ଓ ଶିଶୁ ପ୍ରହ୍ଲାଦ ପ୍ରତି ଆଶିର୍ବାଦ ପ୍ରଦାନ କରୁଥିବା ଦୈବୀଶକ୍ତିର ପ୍ରତୀକାତ୍ମକ ବିଜୟ ରୂପେ ଅନୁଷ୍ଠିତ ହୋଇଥାଏ ।
ପୌରାଣିକ କଥାବସ୍ତୁ ଅନୁଯାୟୀ ହୋଲିକା ଥିଲା ହିରଣ୍ୟକଶିପୁର ଭଉଣୀ- ଯେ କି ଶିବଙ୍କଠାରୁ ବର ପ୍ରାପ୍ତ ହେଇଥିଲା ଯେ ସେ ଜଳରେ ବୁଡ଼ିବ ନାହିଁ କି ନିଆଁରେ ପୋଡ଼ିବ ନାହିଁ । ନାସ୍ତିକତା ପ୍ରମତ୍ତ ହିରଣ୍ୟକଶିପୁକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବିଷ୍ଟ କରାଇଥିଲା, ସେଥିରେ ଶିଶୁ ପୁତ୍ରଟି ରକ୍ଷା ପାଇଯାଇଥିବା ବେଳେ ହୋଲିକା ଭସ୍ମୀଭୂତ ହୋଇଥିଲା