କନକ ବ୍ୟୁରୋ: ଯୋଜନା ଥିଲା ପାଇପ ଯୋଗେ ପାନୀୟ ଜଳ ଘରକୁ ପହଞ୍ଚିବ। ଏଥିପାଇଁ ଶହ ଶହ କୋଟି ଟଙ୍କା ବ୍ୟୟ ବରାଦ ବି ହୋଇଥିଲା। ଟେଣ୍ଡର ପରେ ଠିକାଦାର କାମ ଆରମ୍ଭ କରିଥିଲେ। ହେଲେ, ଅଧିକାଂଶ ସ୍ଥାନରେ ଅଧାରେ ଅଟକି ରହିଛି, ପ୍ରକଳ୍ପ କାମ , କିନ୍ତୁ ଠିକାଦାର ଟଙ୍କା ନେଇ ପାର ।
- ପାଣିରେ ପଡିଲା ୧୩୧୪ କୋଟି!
- ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ
- ପିଇବା ପାଣି ଅପେକ୍ଷାରେ ଶୋଷିଲା
ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଗାଁକୁ ପାନୀୟ ଜଳ ଯୋଗାଇବାକୁ ବିଜେଡି ସରକାର ମେଗା ପ୍ରକଳ୍ପ ଆରମ୍ଭ କରିଥିଲେ। ପ୍ରକଳ୍ପ ପାଇଁ ଓମବାଡିସି ଏବଂ ଡିଏମଏଫ ପକ୍ଷରୁ ମଞ୍ଜୁର ହୋଇଥିଲା ୧୩୧୪ କୋଟି ଟଙ୍କା। ହେମଗିରି, ଟାଙ୍ଗରପାଲି, ଲେଫ୍ରିପଡ଼ା, ବାଲିଶଙ୍କରା, ସବଡେଗା, ବଡ଼ଗାଁ, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକର ଲୋକଙ୍କ ଶୋଷମେଂଟିବ ବୋଲି ଆଶା କରାଯାଉଥିଲା । ପ୍ରକଳ୍ପ ସରୁନି କି ପାଣି ମିଳୁନି। କେବେ ମିଳିବ ତାହା ବି ଜଣାନାହିଁ।
- ମନ୍ଥର ଗତିରେ ଚାଲିଛି ମେଗା ଜଳଯୋଗାଣ ପ୍ରକଳ୍ପ
- କେବେ ସରିବ, ଘର ପାଖରେ ପାଇପ ପାଣି ମିଳିବ?
ଯୋଜନା ଅନୁସାରେ, କୁତ୍ରା ଓ ରାଜଗାଙ୍ଗପୁର ପାଇଁ ଶଙ୍ଖ ନଦୀରୁ ପାଣି ଆସିବ। ସେହିଭଳି ହେମଗିରି ଏବଂ ଭଷ୍ମା ପ୍ରକଳ୍ପ ପାଇଁ ହୀରାକୁଦ ଜଳଭଣ୍ଡାରରୁ ପାଣି ଅଣାଯିବ। ବିଶୋଧନ କରି ଗ୍ରାମାଞ୍ଚଳକୁ ପଠାଯିବ। ଏଥିପାଇଁ ପାଇପ ବିଛାଇ ଟ୍ୟାପ ଲଗାଇଛି ତାମିଲନାଡୁର ଠିକା ସଂସ୍ଥା। ହେଲେ ୫ ବର୍ଷ ବିତିଗଲାଣି, ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନି ପାଣି। ଫଳରେ ଖରା ଦିନ କଥା ଛାଡ଼ି ଦିଅନ୍ତୁ ବର୍ଷା ଦିନେ ବି ପାଣି ପାଇଁ ଡହଳବିକଳ ହେଉଛନ୍ତି ଅଂଚଳବାସୀ।
ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗରେ ବିଭାଗୀୟ ଅଧିକାରୀ କହିଛନ୍ତି, ୨୦୨୩ରେ କାମ ସରିଯିବା କଥା। ହେଲେ କିଛି ସମୟ ମାଗିଛି କମ୍ପାନୀ। ତେବେ ନୂଆ ଡ଼େଡଲାଇନରେ କାର୍ଯ୍ୟ ନସରିଲେ, ତେବେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ କେବେ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ସରିବ, ସୁନ୍ଦରଗଡର ଶୋଷିଲା ମଣିଷଙ୍କ ଶୋଷ ମେଣ୍ଟିବ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।