Police Photograph: (KanakNews)
କନକ ବ୍ୟୁରୋ : ରାଜ୍ୟର ତିନି ଥାନାରୁ ଆସିଥିବା ତିନୋଟି ଦୃଶ୍ୟ ପୁଲିସର ଅମାନବିକତାକୁ ପଦାରେ ପକାଇଛି । ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ରବୀନ୍ଦ୍ର ମଲ୍ଲିକ ନାମକ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ଥାନା ଅଧିକାରୀ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି ପରିବାର ଲୋକ ।
ଜଗତସିଂହପୁର ବିରିଡ଼ି ଥାନା ଅଧିକାରୀଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ ସାମ୍ନାକୁ ଆସିଛି । ଏକ ଗୋଷ୍ଠୀ କନ୍ଦଳ ମାମଲାରେ ପୁଲିସ ପାର୍ଥସାରଥୀ ଦାସ ନାମକ ଯୁବକଙ୍କୁ ଉଠାଇ ନେଇଥିଲା । ଥାନା ଭିତରେ ମାଡ଼ ମାରିବା ସହ ଅମାନୁଷିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତ । ଜୁଲାଇ ୨୫ ତାରିଖର ଏହି ଘଟଣା ଏବେ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଛି । ଘଟଣାକୁ ନେଇ ଥାନା ଅଧିକାରୀଙ୍କୁ ଜାରି ହୋଇଛି ନୋଟିସ୍ । ଅଭିଯୋଗ ସତ ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜଗତସିଂହପୁର ଏସପି ।
ଜଣଙ୍କ ନାଁରେ ୱାରେଣ୍ଟ, ଆଉ ଜଣେ ଅଟକ
ବିନା ଦୋଷରେ ୩ଘଣ୍ଟା ଥାନାରେ ରହିଲେ ପ୍ରଧାନଶିକ୍ଷକ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବାବୁ ସବୁ ସୀମାକୁ ଟପି ଯାଇଛନ୍ତି । ଜଣଙ୍କ ନାଁରେ ୱାରେଣ୍ଟ ଥିବା ବେଳେ ଆଉ ଜଣେ ପ୍ରଧାନ ଶିକ୍ଷକଙ୍କୁ ନେଇ ଅପରାଧୀ ଭଳି ବ୍ୟବହାର କରିଛି ପୁଲିସ । ଥାନାରେ ୩ ଘଣ୍ଟା ଅଟକ ରଖିବା ପରେ ଭୁଲ ଜାଣି ପାରି ଛାଡିଦେଇଛି । ସୁରକ୍ଷା ଦେବା ଦାୟିତ୍ବ ପୁଲିସର, ଲୋକଙ୍କ ନ୍ୟାୟ ଦେବା ଦାୟିତ୍ବ ମଧ୍ୟ ପୁଲିସ ଉପରେ ନ୍ୟସ୍ତ । ତେବେ ଜନସାଧାରଣଙ୍କ ବିଶ୍ବାସଭାଜନ ହେବା ପରିବର୍ତ୍ତେ ଏଭଳି ବ୍ୟବହାର ପୁଲିସର ଛବିକୁ ଖରାପ କରୁଛି ।
Follow Us