କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘଦିନ ପରେ ମଧ୍ୟ ରାଜ୍ୟର ସବୁ ଗାଁକୁ ନାହିଁ ଭଲ ରାସ୍ତା । ଏବେ ବି ଅପହଞ୍ଚ ହୋଇ ରହିଛି ରାଜ୍ୟର ହଜାର ହଜାର ଗାଁ। ଏମିତି ତଥ୍ୟ ଏବେ ସାମନାକୁ ଆସିଛି। ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏଯାଏଁ ୮୩୦୦ ଗାଁକୁ କୌଣସି ରାସ୍ତା ସଂଯୋଗ କରୁନାହିଁ । 

Advertisment

ରାଜ୍ୟରେ ମୋଟ୍ ୫୯, ୯୭୧ଟି ଗାଁ ରହିଛି । ଏଯାଏଁ ୫୧, ୬୭୧ ଗାଁକୁ ରାସ୍ତା ସଂଯୋଗ ହୋଇଥିବା ବେଳେ ୮୩୦୦ ଗାଁ ଅପହଞ୍ଚ ହୋଇରହିଛି । କୋରାପୁଟ ଜିଲ୍ଲାର ସର୍ବାଧିକ ୧୩୭୪ ଗାଁକୁ ରାସ୍ତା ନାହିଁ। ସେହିପରି ନବରଙ୍ଗପୁରର ୬୪୧, ମାଲକାନଗିରିର ୪୩୯, ମୟୂରଭଞ୍ଜର ୪୩୮, କନ୍ଧମାଳର ୪୨୬, ସମ୍ବଲପୁରର ୩୯୩, ଗଜପତିର  ୩୮୮, ବୌଦ୍ଧର ୩୪୩, ନୟାଗଡ଼ର ୩୪୧ ଗାଁକୁ ରାସ୍ତା ନାହିଁ। ରାସ୍ତା ନ ଥିବାରୁ ଏହି ଜିଲ୍ଲାର ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ।

ତେବେ କୋରାପୁଟ ଜିଲ୍ଲାରେ ସର୍ବାଧିକ ଗାଁକୁ ରାସ୍ତା ନ ଥିବାକୁ ନେଇ ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାର ବାହୀନିପତି । ଉଭୟ ଦଳ ଲୋକଙ୍କୁ ମୈଳିକ ସୁବିଧା ଦେବାରେ ବିଫଳ ବୋଲି କହିଛନ୍ତି । ସେପଟେ ବିଜେପି କହିଛି, ଏ ହେଉଛି ବିଜେଡି ପାପର ଫଳ । ୨୪ ବର୍ଷ ଶାସନରେ ରହି ମଧ୍ୟ ଲୋକଙ୍କୁ ରାସ୍ତା ସୁବିଧା କରି ପାରିଲେ ନାହିଁ । ଜବାବରେ ବିଜେଡି କହିଛି, ଏହି ୯ ମାସରେ ଅପହଞ୍ଚ ଇଲାକାରେ କେତେ ରାସ୍ତା  ତିଆରି ହୋଇଛି, ତା’ର ହିସାବ ଦିଅନ୍ତୁ ସରକାର।  

୨୦୩୬ ମସିହାରେ ବିକଶିତ ଓଡ଼ିଶାର କଥା କୁହାଯାଉଛି । ହେଲେ ୨୦୨୫ ମସିହାରେ ମଧ୍ୟ ୮୩୦୦ ଗାଁକୁ ରାସ୍ତା ନ ପହଂଚିବା ପୂର୍ବ ସରକାରଙ୍କ ବିକାଶ ଦାବି ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଏପଟେ ନୂଆ ସରକାର କେବେ ଏହି ସବୁ ଗାଁକୁ ରାସ୍ତା ତିଆରି କରୁଛନ୍ତି ତା ଉପରେ ନଜର।