Photograph: (kanak news)
କନକ ବ୍ୟୁରୋ: ବିବାହ ମଣ୍ଡପରୁ ଲୁଟ୍ କରୁଥିବା ଲୁଟେରା ଗିରଫ। ଭୁବନେଶ୍ବର ପରେ ପୁରୀରେ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଛି। ଲୁଟେରା ଜଣଙ୍କ ମଧ୍ୟପ୍ରଦେଶ ରାଜଗଡ଼ ଅଞ୍ଚଳର ରିତେଶ ସିସୋଦିଆ। ବଳିଆପଣ୍ଡା ଥାନା ପୁଲିସ ତାକୁ ଗିରଫ କରିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ତାରକା ହୋଟେଲରେ ବିବାହ ଉତ୍ସବ ଚାଲିଥିବା ବେଳେ ଅତିଥି ବେଶରେ ଲୁଟେରା ପ୍ରବେଶ କରିଥିଲା। ସମସ୍ତେ ନାଚ ଗୀତରେ ମସଗୁଲ୍ ଥିବା ବେଳେ ସୁଯୋଗ ଦେଖି ଏକ ଟ୍ରଲି ବ୍ୟାଗ୍ ଧରି ଚମ୍ପଟ ମାରିଥିଲା। ହେଲେ ତାକୁ ଅଟକାଇଥିଲା ସିକ୍ୟୁରିଟି ଗାର୍ଡ। କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାକୁ ଥାନାରେ ଜିମା ଦିଆଯାଇଥିଲା। ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନେଶ୍ୱର ମୈତ୍ରୀବିହାର ଥାନାରେ ଅଭିଯୁକ୍ତ ନାଁରେ ଗତକାଲି ମାମଲା ହୋଇଥିଲା। ସରୋଜ ମିଶ୍ରଙ୍କ ଝିଅ ବାହାଘର ଚାଲିଥିବା ବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଅଢେଇ ଲକ୍ଷ ଟଙ୍କା ନେଇଯାଇଥିଲା ଏହି ସୁଟ ବୁଟ ପିନ୍ଧା ଚୋର। ତାର ଲିଙ୍କ ନେଇ କମିଶନରେଟ ପୋଲିସ ସହ ଯୋଗାଯୋଗର ରହିଛି ପୁରୀ ପୋଲିସ। ପୂର୍ବରୁ ବଡଗଡ଼ ଥାନା ଅଞ୍ଚଳରେ ଥିବା କିଛି ମଣ୍ଡପରୁ ମଧ୍ୟ ସେ ଚୋରି କରିଥିବା ସୂଚନା ମିଳିଛି। ତେବେ ତାଠାରୁ ଚୋରି ସାମଗ୍ରୀ ଜବତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Follow Us