କନକ ବ୍ୟୁରୋ: ମାତ୍ର ଦିନ କେଇଟା ତଳେ ଟମାଟୋ କେଜି ଶହେ ଉପରେ ଥିଲା । ପରିସ୍ଥିତି ଏଭଳି ଥିଲା ଟଙ୍କା ଦେଲେ ମଧ୍ୟ ବଜାରରେ ଟମାଟୋ ମିଳୁନଥିଲା । ଟମାଟୋ ଛୁଇଁବାକୁ ଡର ଲାଗୁଥିଲା। ଆଉ ଆଜି ରାଜ୍ୟରେ ଟମାଟୋ ଅଭାବୀ ବିକ୍ରି, ଏବେ ଦୁଇ ଟଙ୍କାରେ ଯାହାକୁ ଯେତେ ।
ଢେଙ୍କାନାଳ ଗନ୍ଦିଆ ବ୍ଲକ କରମୂଳରେ ଚାଷୀ ଟମାଟୋ ଚାଷ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଏକର ଏକର ଜମିରେ ଟମାଟୋ କରିଛନ୍ତି, ଫଳ ମଧ୍ୟ ଭଲ ହୋଇଛି । କିନ୍ତୁ କେଜି ପିଛା ଦୁଇ ଟଙ୍କାରୁ ଅଧିକରେ ବେପାରୀ ନେବାକୁ ରୋକଠୋକ ମନା କରିଦେଉଛନ୍ତି । ଏହାରି ଭିତରେ ଜମିରୁ ଫଳ ତୋଳିବାକୁ ବି ସାହସ କରୁନାହାନ୍ତି ଚାଷୀ । ବିଲରେ ଟମାଟୋ ପଚିବା ଆରମ୍ଭ କରିଛି । ସେହିଭଳି ଚିତ୍ର ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର, ଟମାଟୋ ପାଇଁ ଏକର ପିଛା ୪୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ଚାଷୀ । ଏବେ ସୁଦ୍ଧା ୫ ହଜାର ଟଙ୍କା ପାଇପାରିନଥିବା କହିଛନ୍ତି ଚାଷୀ ।
- ଶୀତଳ ଭଣ୍ଡାର ପାଇଁ ଆସିଲା ପଲିସୀ
- କେବେ ହେବ ଶୀତଳ ଭଣ୍ଡାର?
ରାଜ୍ୟରେ ସବୁ ସବ ଡିଭିଜନରେ ହେବ ଶୀତଳ ଭଣ୍ଡାର । ଉତ୍କର୍ଷ ଓଡିଶା ସମ୍ମିଳନୀରେ ଶୀତଳ ଭଣ୍ଡାର ଲାଗି ନୂଆ ପଲିସୀ ଆଣିଛନ୍ତି ସରକାର । ପିପିପି ମୋଡ଼ରେ ଶୀତଳ ଭଣ୍ଡାର କରାଯିବ । ତେବେ ଏହା କାର୍ଯ୍ୟକାରୀ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ।
ଅମଳ ସମୟରେ ଅଭାବୀ ବିକ୍ରି ଘଟଣା ପୂର୍ବ ସରକାର ସମୟରୁ ଚାଲି ଆସୁଛି । ପୂର୍ବ ସରକାର ଶୀତଳ ଭଣ୍ଡାର କରିବା ପ୍ରତିଶୃତି ଶୀତଳ ଭଣ୍ଡାରରେ ରହିଯାଇଥିଲା । ଏବେ ସରକାର ବଦଳିଛି ହେଲେ ଚାଷୀର ଦୁଃଖ ଯେମିତି ଥିଲା ସେମିତି ଅଛି।