କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଖୁସି ଖବର। ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ଖରିଫ ଧାନ କିଣା। ବରଗଡ଼ରୁ ୩୧ ଶହ ଟଙ୍କାରେ ଧାନ କିଣିବା ପ୍ରକ୍ରିୟା ଆରମ୍ଭ କରିବେ ରାଜ୍ୟ ସରକାର। ମଣ୍ଡିରେ ଧାନ ଦେବାର ୨୪ ଘଂଟା ମଧ୍ୟରେ ଚାଷୀଙ୍କ ଆକାଉଂଟକୁ ଯିବ ଟଙ୍କା। ସେପଟେ ବିଜେଡି ନେତା କହିଛନ୍ତି ଧାନ ବିକ୍ରିକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ଅଛନ୍ତି ଚାଷୀ ।
ଚାଷୀ ଖରିଫ ଧାନ ଅମଳ କରିବା ସମୟ ଆସି ଯାଇଥିବାରୁ ତୁରନ୍ତ ମଣ୍ଡି ଖୋଲି କିଣିବାକୁ ନିଷ୍ପତି ନେଇଛନ୍ତି ସରକାର। ସରକାରଙ୍କ ନିଷ୍ପତି ଅନୁସାରେ, ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା। ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା। ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାର ଇନ୍ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଦେବେ।
ଚାଷୀ ମଣ୍ଡିରେ ଧାନ ବିକିବା ବେଳେ ସବୁବେଳେ କଟନୀ ଛଟନିର ଶିକାର ହୁଏ ବୋଲି ଅଭିଯୋଗ ହୋଇଥାଏ। ତେଣୁ ଏଥର ଚାଷୀ ଯେମିତି ସେହି ସମସ୍ୟାର ସମ୍ମୁଖୀନ ନହୁଏ ତା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ଧାନ କିଣା ସରିବା ପର୍ୟ୍ୟନ୍ତ ମଣ୍ଡିରେ ଅଧିକୃତ ଅଧିକାରୀ ରହିବେ। ୪ ରୁ ୫ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଙ୍ଗ୍ ମେସିନ। ଧାନର ଏଫକ୍ୟୁ ମାନ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ୟ୍ୟନ୍ତ ଧାନ ପରିବହନ ବ୍ୟବସ୍ଥାର ତଦାରଖ କରିବ ପରିବହନ ବିଭାଗ। ତେବେ ଚାଷୀ ସରକାରଙ୍କୁ ଭରସା କରି ପାରୁ ନଥିବାରୁ ପଞ୍ଜିକରଣ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡି ନେତା। ଏବଂ କେମିତି ଭରସା କରିବେ ସେଥିପାଇଁ ପଦକ୍ଷେପ ନେବାକୁ କହିଛନ୍ତି।
ଏଥିସହ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ତା ପ୍ରତି ପାଟ୍ରୋଲିଂ ଟିମ୍ ମୁତୟନ ହେବେ । ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯିବ। ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି। ତ୍ୱରିତ ନିଷ୍ପତି ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେଇ ସବୁ ଧାନ କିଣିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ।