କନକ ବ୍ୟୁରୋ: କୋଟିଏରୁ ଉଦ୍ଧ୍ୱର୍ ଟଙ୍କାରେ ନିର୍ମିତ ବାରବାଟୀ ମହିଳା ପରିବା ବଜାର ଏବେ ଭୂତ କୋଠି । କୃଷକ ବଜାର ନଚାଲିବାରୁ ନାମ ପରିବର୍ତ୍ତନ ହୋଇ ମହିଳା ପରିବା ବଜାର କରାଗଲା । ଲାଗୁଥିଲା ଏଠି ବେପାରପଟା କରି ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

Advertisment

ଯାଜପୁର ରସୁଲପୁର ବ୍ଲକର ବାରବାଟୀ ମହିଳା ପରିବା ବଜାର । ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି ୩୦ଟି ଦୋକାନ ଘର। ପିଣ୍ଡି ଚାରିପଟେ ଅଳିଆ ଆବର୍ଜନା । ଆଲୋକୀକରଣ ପାଇଁ ଲାଗିଥିବା ଲାଇଟ୍‌ ଚୋରି ହୋଇଗଲାଣି! ଦୋକାନ ଘରଗୁଡ଼ିକ ଏବେ ଅସାମାଜିକ ବ୍ୟକ୍ତିଙ୍କ ଦଖଲକୁ ଚାଲିଯାଇଛି । 

ବାରବାଟୀରେ ପ୍ରଥମେ ବାଙ୍କବିହାରୀ ଦାସ କୃଷକ ବଜାର ପ୍ରତିଷ୍ଠା ହୋଇଥିଲା । ପରେ ଆର୍‌.ଏମ୍‌.ସି ପକ୍ଷରୁ ମହିଳା ପରିବା ବଜାରରେ ରୂପାନ୍ତରିତ କରାଗଲା। ଲକ୍ଷ୍ୟ ଥିଲା ବିଭିନ୍ନ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିକି ଲାଭବାନ ହେବେ । କିନ୍ତୁ ସେମିତି କିଛି ହେଲା ନାହିଁ । ଫଳରେ  ମହିଳା ମାନଙ୍କ ବ୍ୟବସାୟ କରିବା ଆଶା ମଉଳି ଯାଇଛି। 

ବଜାରକୁ ତୁରନ୍ତ କାର୍ୟ୍ୟକ୍ଷମ କରିବା ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ତେ୍ୱ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଖୁବ୍‌ଶୀଘ୍ର ବଜାରକୁ ଚାଲୁ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଧର୍ମଶାଳା ବିଧାୟକ । ମହିଳା ପରିବା ବଜାରର ପୁନଃରୁଦ୍ଧାର ହେଲେ ଅନେକ ମହିଳା ଉପକୃତ ହୋଇପାରିବେ।