ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକୁ ମିଳୁଛି । ଯାହା ମେଡିକାଲ ଅବ୍ୟବସ୍ଥା ନେଇ ଅନେକ ପ୍ରଶ୍ନ ଉଠାଇଛି । ମୁଖ୍ୟ ଗେଟକୁ ଛାଡ଼ି ଅନ୍ୟ ଗେଟ୍ ନିର୍ମାଣ ପରଠାରୁ ୧୫ବର୍ଷ ହେଲା ଖୋଲିନାହିଁ । କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସୁରକ୍ଷା ଆଳ ଦେଖାଇ ଗେଟଗୁଡ଼ିକ ବନ୍ଦ ରଖାଯାଇଛି । ଲୋକ ଗେଟ୍ ଡେଇଁ ଯିବାଆସିବା କରୁଛନ୍ତି । ମେଡିକାଲ ଦେଇ ଆଖପାଖ ଅଞ୍ଚଳ ସମେତ ବସଷ୍ଟାଣ୍ଡକୁ ରାସ୍ତା ଲାଗିଥିବା ବେଳେ ଗେଟଟ୍ ବନ୍ଦ ଥିବାରୁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି ।
ବ୍ରହ୍ମପୁରରେ ମେଡିକାଲ କଲେଜ ସ୍ଥାପନ ବେଳେ ନିକଟସ୍ଥ ଭାବିନୀପୁର ପଞ୍ଚାୟତରେ ଚାଷଜମି ଥିବା କମାପଲ୍ଲୀ ଓ ଗୋଇଲୁଣ୍ଡି ଅଞ୍ଚଳର ଚାଷୀଙ୍କ ଗମନାଗମନ ପାଇଁ ମେଡିକାଲ ରାସ୍ତା ବ୍ୟବହାର କରିବାକୁ ଚୁକ୍ତି ହୋଇଥିଲା । ଏବେ ଚୁକ୍ତି ଖିଲାପ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ମେଡିକାଲ ଅଧୀକ୍ଷକ କହିଛନ୍ତି, ଏନ୍ଏମ୍ସି ଗାଇଡ ଲାଇନ ଅନୁସାରେ କ୍ୟାମ୍ପସରେ ପ୍ରବେଶ ଓ ପ୍ରସ୍ଥାନ ଲାଗି ଗୋଟିଏ ହିଁ ରାସ୍ତା ରହିବ । ପ୍ରଶ୍ନ ଉଠୁଛି, ଯଦି ଗୋଟିଏ ଗେଟ୍ ଖୋଲିବାର ନିୟମ ଅଛି, ତେବେ ବାକି ଗେଟ୍ କାହିଁକି ତିଆରି ହେଉଥିଲା? କାହା ସ୍ୱାର୍ଥ ପାଇଁ ତିଆରି ହୋଇଥିଲା? ନିୟମ ଜାଣିଥିଲେ ବି କର୍ତ୍ତୃପକ୍ଷ କାହିଁକି ବାରଣ କଲେନି? ଗେଟ୍ ଆଳରେ ମିଳିମିଶି ଖାଇଗଲେ କି ଟଙ୍କା?