କନକ ବ୍ୟୁରୋ: ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ ମାସ ପରେ ଆଜି ଖୋଲା ଯାଇଛି । ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟି ସହ ପୋଲିସ ଉପସ୍ଥିତିରେ କଡା ସୁରକ୍ଷା ବଳୟ ମଧ୍ୟରେ ୯ଟି ହୁଣ୍ଡି ଖୋଲାଯାଇଛି । ଦାନ ଅର୍ଥ ଗଣତି କାମରେ ଲାଗିଛନ୍ତି ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର ପ୍ରାୟ ୨ଶହରୁ ଅଧିକ କର୍ମକର୍ତ୍ତା । ଚଳିତ ଥର ୯୦ ଲକ୍ଷରୁ ୧ କୋଟି ଟଙ୍କା ମିଳିବ ବୋଲି ଆଶା ରଖିଛି ମନ୍ଦିର କମିଟି । ଗତ ୬ ମାସ ତଳେ ଅର୍ଥାତ ଜୁଲାଇ ୨୪ ତାରିଖରେ ହୁଣ୍ଡିରୁ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ୫୩ ଗ୍ରାମ ସୁନା, ରୁପା ୨ କେଜି ୩୯୨ ଗ୍ରାମ ଓ ୩୩ଟି ବିଦେଶୀ ମୁଦ୍ରା ମିଳିଥିଲା । ଆଜି ସକାଳ ସାଢେ ୧୦ଟାରୁ ଆରମ୍ଭ ହୋଇଛି ଗଣତି କାମ । ଗଣତି ପରେ ହୁଣ୍ଡିରୁ ମିଳିଥିବା ଦାନ ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯିବ । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।