କନକ ବ୍ୟୁରୋ : କଟକରେ ଶିକ୍ଷିତ ମହିଳାଙ୍କ ମଣ୍ଡାପିଠା ବ୍ୟବସାୟ। ଗ୍ରାହକଙ୍କ ମନମୋହୁଛି ପୁରଦିଆ ସୁସ୍ବାଦୁ ମଣ୍ଡାପିଠା। ଏକଦା ଓଡିଆ ଘରର ପରିଚୟ କୁହାଯାଉଥିବା ମଣ୍ଡାପିଠାର ମହକ ଘରୁ ହଜି ହଜି ଯାଉଥିବା ବେଳେ କଟକରେ ଏକ ମହିଳା ଗୋଷ୍ଠୀ ଏକାଠି ହୋଇ ମଣ୍ଡାପିଠା ତିଆରି କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ମିଶନ ଶକ୍ତି ସହାୟତାରେ ବ୍ୟାଙ୍କରୁ ଋୁଣ ଆଣି ୧୫ ଜଣ ଶିକ୍ଷିତ ମହିଳା ନିଜେ ମଣ୍ଡାପିଠା ତିଆରି କରି ଷ୍ଟଲରେ ବ୍ୟବସାୟ ଆରମ୍ଭ କରିଛନ୍ତି। ସିଝା ମଣ୍ଡାପିଠାରେ ନଡିଆ ପୁରଠାରୁ ଆରମ୍ଭ କରି ଛେନା ପୁର, ମୁଗ ପୁର, ବିରି ପୁର, ମଟର ଆଳୁ ପୁର, ପରିବା ପୁର, ମସରୁମ୍ ପୁର, ଚିଲି ପନୀର ପୁର, ଚିଜ୍ ସୁଇଟ୍ କର୍ଣ୍ଣ ପୁର ସହ ମାଣ୍ଡିଆ ମଣ୍ଡାପିଠା ପରି ସୁସ୍ବାଦୁ ମଣ୍ଡାପିଠା ତିଆରି କରି ବିକ୍ରୀ କରୁଛନ୍ତି। ଏପରି ମଣ୍ଡାପିଠାର ମହକ ଗ୍ରାହକଙ୍କୁ ଷ୍ଟଲ ନିକଟକୁ ଟାଣି ଆଣୁଥିବା ବେଳେ ମଣ୍ଡାପିଠା ସ୍ବାଦ ଚାଖି ଘରକୁ କିଣି ନେଉଛନ୍ତି।
ଗାଁ ମାଟିର ଖାଦ୍ୟର ଚାହିଦା ସହରରେ ବଢିଛି। ମଣ୍ଡାପିଠା ବିନା ତେଲ ମସଲାରେ ତିଆରି ହେଉଥିବାରୁ ଏହା ସ୍ବାସ୍ଥ୍ୟ ଉପଯୋଗୀ ଏବଂ ଏକ ନିରୋଗୀ ଖାଦ୍ୟ। ତେଣୁ ଅଧିକାଂଶ ଲୋକ ମଣ୍ଡାପିଠାକୁ ଖାଇବାକୁ ପସନ୍ଦ କରୁଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ମଣ୍ଡାପିଠାର ଦାମ୍ ମଧ୍ୟ ସ୍ବାଭାବିକ ରହିଛି। ନଡିଆ ପୁର, ମଟର ଆଳୁ, ଏବଂ ପରିବା ପୁର ମଣ୍ଡାପିଠା ପିସ୍ ୧୨ ଟଙ୍କାରେ ବିକ୍ରୀ କରୁଥିବା ବେଳେ ଛେନା ନଡିଆ ପୁର, ମୁଗ ନଡିଆ ପୁର, ବିରି ପୁର, ମସରୁମ୍ ପୁର, ଚିଲି ପନୀର ପୁର, ଚିଜ୍ ସୁଇଟ୍ କର୍ଣ୍ଣ ପୁର ଏବଂ ମାଣ୍ଡିଆ ମଣ୍ଡାପିଠା ପିସ୍ ୧୫ ଟଙ୍କାରେ ବିକ୍ରୀ କରୁଛନ୍ତି। ଏହା ସହ ବିଭିନ୍ନ ସ୍ଥାନରୁ ମଧ୍ୟ ଅର୍ଡର ପାଇ ମଣ୍ଡାପିଠା ତିଆରି କରି ପଠାଉଛନ୍ତି ମହିଳା। କଟକରେ ଚାହିଦା ବଢିବା ପରେ ଓଡିଶା ବାହାରେ ଏହି ମଣ୍ଡାପିଠା ପହଞ୍ଚାଇବାକୁ ଯୋଜନା ରଖିଥିବା କହିଛନ୍ତି ମହିଳା ଗୋଷ୍ଠୀର ସଦସ୍ୟା ।
ଓଡିଆ ଘରର ଜନମାନସରୁ ହଜି ଯିବାକୁ ବସିଥିବା ଏହି ପାରମ୍ପରିକ ଖାଦ୍ୟ ଶିକ୍ଷିତ ମହିଳାମାନଙ୍କ ଦ୍ବାରା ପୁଣି ପରିଚୟ ଫେରି ପାଇବ ବୋଲି ଆଶା କରାଯାଉଛି।
Follow Us