କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳ ସେଲ୍ ପରିଚାଳିତ ତାଲଡିହି ଲୌହଖଣି ଠାରେ ଧାରଣା ଓ ବିକ୍ଷୋଭ । ତାଲଡିହି ଲୌହଖଣିକୁ ଆଗାମୀ ୨୫ ବର୍ଷ ପାଇଁ ଆଦାନୀ ହାତକୁ ଟେକି ଦେବା ଲାଗି ହୋଇଥିବା ଚୁକ୍ତିନାମାକୁ ବାତିଲ ସହ ୧୫ ଦଫା ଦାବିରେ ହୋଇଛି ଗଣବିକ୍ଷୋଭ । ବଣାଇ ବିଧାୟକ ଓ କିଛି ବିକ୍ଷୋଭକାରୀ ସେଲ୍ କାର୍ଯ୍ୟାଳୟକୁ ଆଲୋଚନା ପାଇଁ ଯିବାବେଳେ ସିଆଇଏସଏଫ ବାହିନୀ ଧସ୍ତାଧସ୍ତି କରିବାରୁ ଅଣାୟତ୍ତ ହୋଇଥିଲା ପରିସ୍ଥିତି ।
ଦୀର୍ଘ ୩ ଘଣ୍ଟା କାଳ କୋଇଡ଼ା ସେଲ୍ ଅଫିସ୍ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । ଧସ୍ତାଧସ୍ତି, ଠେଲାପେଲା । ୧୫ ଦଫା ଦାବି ସମ୍ପର୍କରେ ଆଲୋଚନା ପାଇଁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସେଲ୍ ଅଫିସକୁ ଯାଉଥିବା ବେଳେ ଅଣାୟତ୍ତ ହୋଇଥିଲା ପରିସ୍ଥିତି । ସେଲ୍ ମୁଖ୍ୟ ଫାଟକ ଦେଇ ପ୍ରବେଶ ବେଳେ ସେଠାରେ ନିୟୋଜିତ ସିଆଇଏସ୍ଏଫ ବାହିନୀ, ବିଧାୟକଙ୍କୁ ଠେଲାପେଲା କରିଥିଲେ । ବିଧାୟକଙ୍କ ସହିତ ଥିବା ଅନ୍ୟ ଜନପ୍ରତିନିଧି ଓ ମହିଳାଙ୍କୁ ମଧ୍ୟ ଧସ୍ତାଧସ୍ତି କରିଥିଲେ । ଯାହାକୁ ନେଇ ବିଗିଡ଼ିଥିଲା ସ୍ଥିତି ।
୩ ଘଣ୍ଟା କାଳ ସେଲ୍ ଅଫିସ୍ ସମ୍ମୁଖରେ ହୋଇଥିଲା ଖଣ୍ଡଯୁଦ୍ଧ। ସିଆଇଏସଏଫ୍ ବାହିନୀଙ୍କ ବିରୋଧରେ ଟେନସା ଫାଣ୍ଡିରେ ଏତଲା ଦେଇଛନ୍ତି ବିଧାୟକ । ତାଲଡିହି ଲୌହଖଣିକୁ ୨୫ ବର୍ଷ ପାଇଁ ଆଦାନୀକୁ ଦେବା ଲାଗି ହୋଇଥିବା ଚୁକ୍ତିନାମା ବାତିଲ, ଖଣି ପ୍ରଭାବିତ ଲୋକଙ୍କୁ ନିଯୁକ୍ତି, ଖଣି ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତି ଭଳି ମୋଟ ୧୫ ଦଫା ଦାବିରେ ହୋଇଛି ବିକ୍ଷୋଭ ।
ସେଲ୍କୁ ଘରୋଇକରଣ ନକରିବା, ଆଦାନୀ ସହ ହୋଇଥିବା ଚୁକ୍ତି ବାତିଲ ଭଳି ୧୫ ଦଫା ଦାବିର ସମାଧାନ ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି । କାଲିଠାରୁ କୋଇଡ଼ା ଖଣି ଅଧୀନ ସେଲ୍ର ଯେତକ ଖଣି ଏବଂ ରେଳ ସାଇଡିଂ ଅଛି, ସେଠାରେ ସମ୍ପୂର୍ଣ୍ଣ ଖଣି ଉତ୍ତୋଳନ ଓ ପରିବହନ ବନ୍ଦ ରହିବ ।
ବିଧାୟକ ଓ ମହିଳା ବିକ୍ଷୋଭକାରୀଙ୍କୁ ଧସ୍ତାଧସ୍ତି କରିଥିବା ସିଆଇଏସଏଫଙ୍କ ବିରୁଦ୍ଧରେ ଯେ ପର୍ୟ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହୋଇଛି ସେ ପର୍ଯ୍ୟନ୍ତ କୋଇଡା ଖଣି ମଣ୍ଡଳ ଅଧୀନ ସମସ୍ତ ସେଲ ଖଣିରେ ଉତ୍ତୋଳନ ଠପ୍ ହେବ ବୋଲି ଚେତାବନୀ ଦିଆଯାଇଛି ।