କନକ ବ୍ୟୁରୋ: ମଣିଷ-ପଶୁ ମଧ୍ୟରେ ଅନାବିଳ ପ୍ରେମ। ପଶୁ ହେଉ କି ପକ୍ଷୀ, କାହାରି ଅସହୟତାକୁ ନଜର ଅନ୍ଦାଜ କରିପାରନ୍ତି ନାହିଁ ସେ। ସେମିତି ଜଣେ ଦରଦି ବନ୍ଧୁ ହେଉଛନ୍ତି ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର। ବୁଲା ପଶୁଙ୍କୁ ଖାଦ୍ୟ ଦେବା ସହ ନିଜ କାରରେ ପଶୁ ଡାକ୍ତରଖାନା ନେଇ ଚିକିତ୍ସା ମଧ୍ୟ କରାନ୍ତି। ପୁଲିସ ବାବୁଙ୍କ ଏହି ପଶୁପ୍ରେମ କ୍ରୃର ମଣିଷ ସମାଜ ପାଇଁ ଏକ ଉଦାହରଣ ।

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହକର୍ମୀଙ୍କ ସହ ଛିଡା ହୋଇଥାନ୍ତି ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର । ନିକଟରେ ପଡ଼ିଥାଏ କୁକୁର ଛୁଆର ମୃତଦେହ। ମଲା ଛୁଆକୁ ଜଗି ରହିଛି ମାଆ କୁକୁର । ଛୁଆର ମୁହଁକୁ ଶୁଙ୍ଘି ପକାଉଛି । ଭାବୁଛି, କାଳେ ଛୁଆଟି ପୁଣି ଉଠିବ । ମାଆ ପାଖରୁ କ୍ଷୀର ଖାଇବାକୁ ଅଳି କରିବ। କୁକୁର ଛୁଆର ମୃତ୍ୟୁ ତାଙ୍କୁ ବ୍ୟଥିତ କରିଛି । ତା'ମୃତ୍ୟୁର କାରଣ ଜାଣିବା ପାଇଁ ସିସିଟିଭି ଯାଂଚ କରିବାକୁ ନିର୍ଦେଶ ଦେଇଛନ୍ତି। ବ୍ୟସ୍ତତା ଭିତରେ ନିଜେ ଅନ୍ୟ କୁକୁର ଛୁଆଙ୍କ ପାଇଁ ନିରାପଦ ସ୍ଥାନ ଖୋଜିବା ସହ ମଲା କୁକୁରକୁ ପୋତିବା ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି ।

କିଛି ଦିନ ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏକ କୁକୁର ୫ଟି ଛୁଆ ଜନ୍ମ କରିଥିଲା । ଏସପି ପ୍ରତ୍ୟୁଷ ଦିବାକର ନିଜେ ତାର ଯତ୍ନ ନିଅନ୍ତି । ଘରୁ ଛୁଆ କୁକୁରଙ୍କ ପାଇଁ କ୍ଷୀର ଓ ମାଆ କୁକୁର ପାଇଁ ଖାଇବା ଆଣିଥାନ୍ତି । କୁକୁର ଛୁଆ ଯେତେବେଳେ ଚଲାବୁଲା କଲେ ସେମାନଙ୍କ ସୁରକ୍ଷା ପାଇଁ ରାସ୍ତାର ଉଭୟ ପଟେ ବ୍ୟାରିକେଡ କରିଛନ୍ତି । ଏଥିରୁ ହିଁ ଜଣାପଡୁଥିଲା ପଶୁଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ।