କନକ ବ୍ୟୁରୋ : ଆଜି ଉତ୍କଳ ଦିବସ । ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । କିନ୍ତୁ ଆମ ରାଜ୍ୟର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳୁନି ଉପଯୁକ୍ତ ମର୍ଯ୍ୟାଦା । ଏହି ସଙ୍ଗୀତକୁ ଗାନ କଲାବେଳେ ଶବ୍ଦର ଉଚ୍ଚାରଣ ତ୍ରୁଟିପୂର୍ଣ୍ଣ ରହୁଛି । ଗାଇବାର ଅବଧି ୨ ମିନିଟ୍‌ ୧୧ ସେକେଣ୍ଡ ରହିଛି । କିନ୍ତୁ କେତେବେଳେ ଗାନ କଲାବେଳେ ଅବଧି ବଢିଯାଉଛି, କେତେବେଳେ କମିଯାଉଛି । ସବୁଠୁ ବିଡମ୍ବନାର ବିଷୟ, ‘ବନ୍ଦେ ଉତ୍କଳ ଜନନୀ’ ଗାନ କଲାବେଳେ ଖୋଦ୍ ଜନପ୍ରତିନିଧିମାନେ ଏହାକୁ ଅମାନ୍ୟ କରୁଛନ୍ତି । କିଛି ଦିନ ତଳେ ଜଣେ ବିଧାୟକ ଏହି ରାଜ୍ୟ ସଙ୍ଗୀତ ଗାନ ବେଳେ ବସିରହିଥିଲେ । ସମସ୍ତେ ଛିଡ଼ା ହୋଇଥିବା ବେଳେ ବିଧାୟକ ନିଜ ସିଟ୍‌ରେ ବସି ରହିଥିଲେ । ଗତକାଲି ବଲାଙ୍ଗୀରର ଜଣେ ବିଜେଡି ନେତା ମଧ୍ୟ ରାଜ୍ୟ ସଙ୍ଗୀତକୁ ଅସମ୍ମାନ କରିଥିବା ଦେଖିବାକୁ ମିଳିଥିଲା । ବର୍ଷ ବର୍ଷ ଧରି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏମିତି ସ୍ଥିତି ଲାଗିରହିଛି । ୨୦୧୯ ମସିହାରେ ତତ୍କାଳୀନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ବନ୍ଦେ ଉତ୍କଳ ଜନନୀ କିଭଳି ନିର୍ଦ୍ଦିଷ୍ଟ ସମୟସୀମା ଓ ଗୋଟିଏ ସ୍ବରରେ ଗାନ କରାଯିବ, ସେନେଇ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ସଂସ୍କୃତି ବିଭାଗ ପଦକ୍ଷେପ ନେବାକୁ କହିଥିଲେ । ବାଚସ୍ପତି ମଧ୍ୟ ରୁଲିଂ ଦେଇ ପଦକ୍ଷେପ ନେବାକୁ ତତ୍କାଳୀନ ସଂସ୍କୃତି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟ ସଙ୍ଗୀତକୁ ଅସମ୍ମାନ କରାଯାଉଛି । ଉପଯୁକ୍ତ ମର୍ଯ୍ୟାଦା ମିଳୁନାହିଁ । ଏବେ ସମୟ ଆସିଛି, ଓଡ଼ିଶାବାସୀ ଜାଗ୍ରତ ହେବାର । ରାଜ୍ୟ ସଙ୍ଗୀତକୁ ଅସମ୍ମାନ କଲେ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡବିଧାନ କରାଯାଉନାହିଁ । 

Advertisment

ଓଡ଼ିଶା ଉଠିବାର ବେଳ...
ମର୍ଯ୍ୟାଦା ପାଉନି ରାଜ୍ୟ ସଙ୍ଗୀତ
ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’
୨୦୨୦ ଜୁନ ୭ରେ ବାଜିଥିଲା କ୍ୟାବିନେଟ୍‌ ମୋହର
ସମ୍ପୂର୍ଣ୍ଣ ସଙ୍ଗୀତର ଅବଧି ରହିଛି ୨ ମିନିଟ୍‌ ୧୧ ସେକେଣ୍ଡ
‘ବନ୍ଦେ ଉତ୍କଳ ଜନନୀ’ ଗାନ ବେଳେ ଦଣ୍ଡାୟମାନ ବାଧ୍ୟତାମୂଳକ
ଠିକ୍‌ ଭାବେ ଗାନ ହେଉନି ‘ବନ୍ଦେ ଉତ୍କଳ ଜନନୀ’
ସମାନ ରହୁନି ରାଜ୍ୟ ସଙ୍ଗୀତର ଅବଧି ଓ ସ୍ବର
ଶବ୍ଦର ଉଚ୍ଚାରଣ ତ୍ରୁଟିପୂର୍ଣ୍ଣ ହେଉଥିବା ଅଭିଯୋଗ
ବହୁବାର ଉଚ୍ଚାରଣ ହେଉଛି ‘ଜନନୀ’ ଶବ୍ଦ
‘ହାସମୟୀ’କୁ ଗାଉଛନ୍ତି ‘ହାସ୍ୟମୟୀ’
‘ବନ୍ଦେ ଉତ୍କଳ ଜନନୀ’କୁ ଜନପ୍ରତିନିଧିଙ୍କ ଅବମାନନା
ରାଜ୍ୟ ସଙ୍ଗୀତ ଗାନ ବେଳେ ଦଣ୍ଡାୟମାନ ହେଉନାହାନ୍ତି ଜନପ୍ରତିନିଧି
ରାଜ୍ୟ ସଙ୍ଗୀତକୁ ଅବମାନନା କଲେ ଦଣ୍ଡବିଧାନ ନାହିଁ
୨୦୧୯ରେ ପ୍ରସଙ୍ଗ ଉଠାଇଥିଲେ ତତ୍କାଳୀନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ
ସଙ୍ଗୀତର ସ୍ବର ଓ ଅବଧି ନେଇ ପ୍ରଶ୍ନ ଉଠାଇଥିଲେ
ବିଶେଷଜ୍ଞଙ୍କ ମତାମତ ନେଇ ପଦକ୍ଷେପ ନେବାକୁ ଦାବି କରିଥିଲେ
ବିଧାନସଭାରେ ରୁଲିଂ ଦେଇଥିଲେ ବାଚସ୍ପତି
ଏ ଦିଗରେ ପଦକ୍ଷେପ ନେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ

ଆଉ ସହିବା କେତେଦିନ?
କାହିଁକି ରାଜ୍ୟ ସଙ୍ଗୀତକୁ ମର୍ଯ୍ୟାଦା ମିଳୁନି?
ଦଣ୍ଡବିଧାନ ନଥିବାରୁ ଭୟ ରହୁନି କି?
କାହିଁକି ବିରୋଧ କରୁନାହାନ୍ତି ବୁଦ୍ଧିଜୀବୀ?
କାହିଁକି ଚୁପ୍‌ ଓଡ଼ିଆ ସଂସ୍କୃତିପ୍ରେମୀ?
ରାଜ୍ୟ ସଙ୍ଗୀତକୁ ନଜର ଦେଉନାହାନ୍ତି ସରକାର?
ସଂସ୍କୃତି ବିଭାଗର ଉଦାସୀନତା କାହିଁକି?
ଓଡ଼ିଆ ଭାଷାରେ ସରକାରୀ ଚିଠି କେବେ?
ଓଡ଼ିଆ ଚିଠି ଦେବେ କହି ଇଂରାଜୀରେ ଲେଖୁଛନ୍ତି କାହା ପାଇଁ?
କେବେ ଓଡ଼ିଆ ଶିଖିବେ ସରକାରୀ ଅଧିକାରୀ?
ରାଜ୍ୟ ସଙ୍ଗୀତ ଗାନ ବେଳେ ଜନପ୍ରତିନିଧି ଠିଆ ହେଉନାହାନ୍ତି କାହିଁକି?