କନକ ବ୍ୟୁରୋ : ସରକାରଙ୍କ ଦୋମୁହାଁ ନୀତି । ସଚେତନତା ବଢୁଛି, ସେପଟେ ବିକ୍ରି ବି ବଢୁଛି । ପ୍ରତିଦିନ ଏକାଧିକ ମୁଣ୍ତ ବି ଗଡୁଛି । ହେଲେ ବି ସରକାର କେତେ ସଚେତନ, ତାହା ଏବେ ବି ପ୍ରଶ୍ନବାଚୀ । ସାଧାରଣ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଲାଗିଥିଲେ ବି ବେଧଡ଼କ ଚାଲିଛି ନିଶାଦ୍ରବ୍ୟ ସେବନ । ଦିନକୁ ଦିନ ନଷ୍ଟ ହେବାରେ ଲାଗିଛନ୍ତି ଯୁବପିଢ଼ି । କେବେ ଲାଗିବ ଲଗାମ ? କେବେ ସଚେତନ ହେବେ ସାଧାରଣ ଜନତା ?

Advertisment

ସ୍କୁଲ ହେଉ କି କଲେଜ୍ କ୍ୟାମ୍ପସ୍‌, ଛୋଟ ଛୋଟ ଦେକାନରେ ଖୁଲମଖୁଲା ବିକ୍ରି ହେଉଛି ବିଢ଼ି, ସିଗାରେଟ୍‌ ଭଳି ମାଦକ ଦ୍ରବ୍ୟ । ପ୍ୟାକେଟ୍‌ ଉପରେ ଧୁମପାନ କ୍ୟାନସର୍‌ର କାରଣ ଲେଖାଥିଲେ ବି ମାନୁଛି କିଏ ? ଶିକ୍ଷିତ ହୁଅନ୍ତୁ କି ନିରକ୍ଷର, ଗାଁ ହେଉ କି ସହର ସବୁଠି ଉଡୁଛି ବିଢ଼ି-ସିଗାରେଟ ଧୂଆଁ । ଘରେ ରୋଜଗାରିଆଙ୍କ ମୁଣ୍ତ ଗଡିଯାଉଛି । କେଉଁଠି ମାଆ ସନ୍ତାନକୁ ହରାଉଛି ତ କେଉଁଠି ସ୍ତ୍ରୀର ସିନ୍ଦୂର ଲିଭିଯାଉଛି । ହେଲେ ଏସବୁକୁ ପଚାରେ କିଏ । ନା ବୁଝୁଛନ୍ତି ଜନସାଧାରଣ ନା ଶୁଣୁଛନ୍ତି ସରକାର । ବାସ୍‌ ଗୋଟିଏ ଆଇନ୍‌ ଆଣି ଚୁପ୍‌ ବସିପଡ଼ିଛନ୍ତି ସରକାର ।

ନୂଆ ଆଇନ୍‌, ନୂଆ ନିୟମ..କିନ୍ତୁ ସ୍ଥିତି ଆଜି ବି ସମାନ । ଶୁଣୁନାହାନ୍ତି ଯୁବପିଢ଼ି କି ସୁଧୁରୁନାହାନ୍ତି ବୟସ୍କ । ସ୍ଲୋ ପଏଜନ୍‌ ଭଳି ଶରୀର ଦିନକୁ ଦିନ ଖତ ଖାଉଛି । ନେଡ଼ି ଗୁଡ଼ କହୁଣୀକୁ ବୋହିଗଲା ପରେ ଚେତା ପଶୁଛି । ଛଟପଟ ହୋଇ ଜୀବନ ଯାଉଛି । କଟକଣାକୁ କିଛି ଦିନ କଡ଼ାକଡ଼ି ପାଳନ ହେଉଛି । ଆଉ କିଛିଦିନ ପରେ ଯାହାକୁ ସେୟା । ସ୍କୁଲରେ ପିଲାଙ୍କୁ ଧୁମପାନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି ପଢ଼ାଯାଉଛି । ସ୍କୁଲର ସୀମା ଡେଇଁଗଲା ପରେ ନା ମାନୁଛନ୍ତି ପିଲା ନା ଶୁଣୁଛନ୍ତି ଦୋକାନୀ । ପିଲାଙ୍କୁ ମନା କରିବା ବଦଳରେ ବେପାର ଆଳରେ ହାତରେ ଧରାଇ ଦେଉଛନ୍ତି ସିଗାରେଟ ।

ଦିନକୁ ପ୍ୟାକେଟ୍‌ ପ୍ୟାକେଟ୍‌ ସିଗାରେଟ୍‌ ଟାଣିଦେଉଛନ୍ତି ଯୁବପିଢ଼ି । ନିଜର ଆୟୁଷ କମାଇବା ସହ ପରିବେଶକୁ ବି ନଷ୍ଟ କରୁଛନ୍ତି । ସିଗାରେଟ୍‌ ଟାଣୁଛନ୍ତି, କ୍ୟାନସର୍‌କୁ ଡାକୁଛନ୍ତି । ସେପଟେ ସରକାର ବି ମାଲାମାଲ ହେଉଛନ୍ତି । କାହିଁକି ନା ରାଜ୍ୟର ସର୍ବାଧିକ ରାଜସ୍ୱ ଅବକାରୀ ବିଭାଗରୁ ହିଁ ଆସୁଛି । ଆଖି ଆଗରେ ଛୋଟ ଛୋଟ ଛୁଆଙ୍କ ହାତରେ ବିଢ଼ି-ସିଗାରେଟ୍‌ ଦେଖି ସରକାର ବି ନ ଦେଖିଲା ଭଳି ହେଉଛନ୍ତି ।

ସ୍କୁଲ,କଲେଜ, ଫିଲ୍ମ, ସଚେତନତା କାର୍ୟ୍ୟକ୍ରମ ଦ୍ୱାରା ଲୋକଙ୍କୁ ସଚେତନ କରୁଛନ୍ତି ସରକାର । ପ୍ରତିବର୍ଷ ନୂଆ ଆଇନ୍‌ ବି ଲାଗୁ କରାଯାଉଛି । ହେଲେ ନିୟମ ଓ କଟକଣାକୁ ଫୁ କରିଦେଉଛନ୍ତି ସାଧାରଣ ଜନତା । ଦୋଷ ଏଥି ସରକାରଙ୍କୁ ଦେଲେ ହେବନି, ସାଧାରଣ ଜନତା ବି ସଚେତନ ହେବା ଦରକାର । ଅନ୍ୟଙ୍କୁ ବି ବୁଝାଇବା ଦରକାର । ଏହାସହ ସରକାର ଯଦି କଟକଣାକୁ ଟିକେ କଡ଼ାକଡ଼ି ଭାବେ ପାଳନ କରନ୍ତେ, କେତେ ଜୀବନ ବଞ୍ଚିଯାଆନ୍ତା । ମାଆ କୋଳ ଶୂନ୍ୟ ହୁଅନ୍ତାନି କି ପୁଅଟିଏ ବାପାକୁ ହରାନ୍ତା ନାହିଁ ।