କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିଛି ବସିସିଆଇ । ଏଥର ଫ୍ୟାନ୍ସଙ୍କୁ ଚମକାଇ ଦେଇଛି ଭାରତର ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡ୍‌ । ଗତ ୨୦୨୩ ବିଶ୍ୱକପ୍ ଦଳର ୬ ସଦସ୍ୟଙ୍କ ଉପରେ ଭରସା କରି ପାରିନି ବିସିସିଆଇ । ଆଉ ଏହି ଲିଷ୍ଟ୍‌ରେ ଯେଉଁମାନଙ୍କ ନାଁ ରହିଛି ସେମାନଙ୍କୁ ଏକଦା ଟିମ୍‌ ଇଣ୍ଡିଆର ଏକ୍ସ ଫ୍ୟାକ୍ଟର ମଧ୍ୟ କୁହାଯାଉଥିଲା । କାହିଁକି ସେମାନଙ୍କୁ ଟିମ୍‌ରେ ମିଳିଲାନି ସ୍ଥାନ...ଜାଣନ୍ତୁ କାରଣ ।

Advertisment

୨୦୨୩ ବିଶ୍ୱକପ ଦଳର ଏକ୍ସ ଫ୍ୟାକ୍ଟର ଥିଲେ ଧୂଆଁଧାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ହେଲେ ତାଙ୍କଠାରୁ ଯେଭଳି ପ୍ରଦର୍ଶନ ଆଶା କରାଯାଉଥିଲା, ସେଭଳି ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଏହାଛଡ଼ା ୨୦୨୩ ବିଶ୍ୱକପ୍‌ ପରେ କୌଣସି ଦିନିକିଆ ଖେଳି ନାହାନ୍ତି ସ୍କାଏ... ଏଣୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ସ୍କ୍ୱାଡ୍‌ରେ ସ୍ଥାନ ଦେଇନାହିଁ ବିସିସିଆଇ । 

ଏହି ଲିଷ୍ଟ୍‌ରେ ଅନ୍ୟ ଏକ ବଡ଼ ନାଁ ହେଉଛି ଫାଷ୍ଟ୍‌ ବୋଲର ମହମ୍ମଦ ସିରାଜ । ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ତିନୋଟି ଯାକ ଫର୍ମାଟ୍‌ରେ ନଜର ଆସିଛନ୍ତି ମହମ୍ମଦ ସିରାଜ । ୨୦୨୩ରେ ବିଶ୍ୱକପ୍‌ରେ ସେତେଟା କମାଲ୍‌ କରି ପାରିନଥିଲେ । ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଆଖି ଦୃଶିଆ ନଥିଲା । ବର୍ତ୍ତମାନ ଜଶପ୍ରୀତ୍‌ ବୁମ୍‌ରା ଆହତ ଥିବା ବେଳେ ତାଙ୍କ ସ୍ଥାନରେ ବୋର୍ଡ ଅର୍ଶଦୀପ ସିଂଙ୍କ ଉପରେ ଭରସା କରିଛି । ଷ୍ଟାର୍‌ ବୋଲର ସିରାଜ୍‌ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଛନ୍ତି । 

ଇଶାନ କିଷାନଙ୍କ କଥା କହିଲେ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଛି । ୨୦୨୩ ବିଶ୍ୱକପ୍‌ ଦଳର ସେ ବ୍ୟାକ୍‌ଅପ୍‌ ୱିକେଟ୍‌କିପର ରହିଥିଲେ ।  ଏବେ ସେ ଘରୋଇ ସିଜିନ୍‌ରେ ଏତେଟା ଭଲ ଇନିଂସ ଖେଳି ପାରିନାହାନ୍ତି । ଏଣୁ ଏଥର ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ କରିନି ବିସିସିଆଇ । 

ସିନିୟର ଅଫ୍‌ ବ୍ରେକ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି । ଏଣୁ ସେ ଚାମ୍ପିୟନ୍ସ ଟ୍ରଫି ଦଳର ସଦସ୍ୟ ହେବାର କୌଣସି ସମ୍ଭାବନା ନଥିଲା । ସେହିଭଳି ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ପେସ୍‌ ବ୍ୟାଟେରୀର ସଦସ୍ୟ ଥିବା ଲର୍ଡ ସାର୍ଦ୍ଦୁଲ ଠାକୁର ମଧ୍ୟ ଚାମ୍ପିୟନ୍ସ ଟ୍ରଫି ଟିମ୍‌ରେ ସାମିଲ ହୋଇ ପାରିନାହନ୍ତି । 

ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ମଧ୍ୟ ୨୦୨୩ ବିଶ୍ୱକପ୍‌ ଦଳର ସଦସ୍ୟ ରହିଥିଲେ । ହେଲେ ବର୍ତ୍ତମାନ ୱିକେଟ୍‌ ଦଖଲ କରିବାରେ ସଂଘର୍ଷ କରୁଥିବାରୁ ତାଙ୍କୁ ବୋର୍ଡ୍‌ ଟିମ୍‌ ବାହାରର ରାସ୍ତା ଦେଖାଇଛି । ଚାମ୍ପିୟନ୍ସ ଟ୍ରଫି ପାଇଁ ଯଶଶ୍ୱ ଜୟସ୍ୱାଲ ଓ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରିଛି ବିସିସିଆଇ । ଆହତ ସମସ୍ୟା ଯୋଗୁଁ ଗତ ଥର ବିଶ୍ୱକପ୍‌ରୁ ବାଦ ପଡ଼ିଥିବା ଅକ୍ଷର ପଟେଲଙ୍କୁ ପୁଣି ଏକ ସୁଯୋଗ ଦେଇଛି ବିସିସିଆଇ । ଫେବ୍ରୁଆରୀ ୨୦ ତାରିଖରୁ ବାଂଲାଦେଶ ବିପକ୍ଷରେ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ବାଦ ପଡ଼ିଥିବା ଖେଳାଳିଙ୍କ ସ୍ଥାନରେ ଓଉଉ ଇଭେଣ୍ଟ୍‌ରେ ଜଲ୍‌ୱା ଦେଖାଇବେ ଏହି ଯୁବ ଖେଳାଳି ।