କନକ ବ୍ୟୁରୋ: ଏସଓଜି ମହିଳା ଆଉ ଋଣ ଉପରେ ସୁଧ ଦେବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଏସଓଜି ମହିଳାଙ୍କୁ କିଛି ପରିମାଣରେ ଆଶ୍ବସ୍ତି ଆଣିଛି । ଏହି ଖବର ଏସଓଜି ମହିଳାଙ୍କ ପାଇଁ ଖୁସି ଆଣି ଦେଇଛି। କିନ୍ତୁ ଏଥିରୁ ଆଉ ଗୋଟିଏ କଥା ସ୍ପଷ୍ଟ ହୋଇଛି, ମହିଳା ସଶକ୍ତିକରଣ କଥା କହି ପୂର୍ବ ସରକାର ଯେଉଁ ବାଃ ବାଃ ନେଉଥିଲେ ସେପରି ହୋଇନାହିଁ।
- ସଶକ୍ତ ହୋଇନାହାନ୍ତି ମହିଳା
- ସୁଧ ଛାଡ଼ କଲେ ସରକାର
ବିଗତ ସରକାରରେ ଏସଏଚଜି ମହିଳାଙ୍କ ପାଇଁ ଦିଆଯାଇଥିବା ଋଣର ସୁଧ ଛାଡ କରିଛନ୍ତି ମୋହନ ସରକାର । ଗତକାଲି ସୁଭଦ୍ରା ଶକ୍ତି ମେଳାରେ ଏହି ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଘୋଷଣା ଅନୁସାରେ, ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଲକ୍ଷ ଟଙ୍କା ଯାଏଁ ବ୍ୟାଙ୍କ ଋଣ ଉପରେ ସୁଧ ଛାଡ଼ ହେବ। ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପଦାରେ ପଡିଛି ମହିଳା ସଶକ୍ତିକରଣର ବାସ୍ତବ ଚିତ୍ର।
ପୂର୍ବ ସରକାର ସମୟରେ ଏସଏଚଜି ମହିଳାଙ୍କୁ ସରକାର ଋଣ ଦେଇଥିଲେ ବି ବଜାର ସୃଷ୍ଟି କରିନଥିଲେ । ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିପାରୁନଥିଲେ । ଫଳରେ ସରକାରଙ୍କଠାରୁ ମିଳୁଥିବା ଋଣକୁ ସୁଧରେ ଲଗାଉଥିଲେ । ସେଥିରୁ ଆଦାୟ ଟଙ୍କାରେ ଋଣ ସୁଝୁଥିଲେ । ଅର୍ଥାତ କେବଳ କାଗଜ କଲମରେ ମହିଳାଙ୍କ ବିକାଶ ହୋଇଛି। ହେଲେ, ମହିଳାଙ୍କ ସଶକ୍ତିକରଣ ହୋଇପାରିନାହିଁ। ଯାହାକୁ ନେଇ ପୁଣି ଥରେ ଜୋର ଧରିଛି ରାଜନୀତି। ବିଜେଡି-ବିଜେପି ପରସ୍ପରର ଗୋହି ଖୋଳାଖୋଳି ହୋଇଛନ୍ତି ।
ମହିଳାଙ୍କ ସଶକ୍ତିକରଣ ପାଇଁ ଅଧିକ ପ୍ରୋତ୍ସାହନ, ତାଲିମ, ବଜାର ସୃଷ୍ଟି ଓ ଉତ୍ପାଦର ଗୁଣବତ୍ତା ବୃଦ୍ଧି ଉପରେ ନଜର ଦେବାକୁ ପରାମର୍ଶ ଦେଇଛନ୍ତି ଅର୍ଥନୀତି ବିଶେଷଜ୍ଞ। ବର୍ତ୍ତମାନ ଏସଓଜି ମହିଳାଙ୍କୁ ପୂର୍ବଭଳି ଋଣ ମିଳିବ । କିନ୍ତୁ ସୁଧ ଆଉ ଦେବେ ନାହିଁ । ତେବେ ପ୍ରଶ୍ନ ହେଉଛି, ଏସଏଚଜି ମହିଳାଙ୍କ ପାଇଁ ବଜାର କିଏ ସୃଷ୍ଟି କରିବ? ଉତ୍ପାଦକୁ ବିକ୍ରି କରିବାକୁ କାହିଁକି ମିଳୁନି ପ୍ରୋତ୍ସାହନ? ସରକାର ଏହି ମହିଳାଙ୍କ ପାଇଁ କିଛି କରିବେ ନା ଭୋଟବ୍ୟାଙ୍କ ରାଜନୀତି ଚାଲିବ ।