କନକ ବ୍ୟୁରୋ : କେବେ ସେଲଫି, କେବେ ପ୍ରଶଂସା, କେବେ ସମର୍ଥନ କେବେ ସପକ୍ଷରେ ବୟାନବାଜି । କିଛି ଦିନ ହେବ ବିଜେପି ଓ ଏହାର ନେତାଙ୍କ ପ୍ରତି କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଶଶି ଥରୁର ଏଭଳି ମନୋଭାବ ଏଣିକି ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଭିତରେ କେନ୍ଦ୍ର ସରକାରଙ୍କ କୋଭିଡ ଭ୍ୟାକ୍ସିନ ଡିପ୍ଲୋମେସିକୁ ନେଇ ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିବା ପରେ ବିଜେପି ପ୍ରତି ଥରୁର ଢ଼ଳୁଥିବା ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ସାମ୍ନାକୁ ଆସିଛି ଏକ ଭିଡିଓ, ସେଥିରେ ଗୋଟେପଟେ କରୋନା ଆତଙ୍କ, ଅନ୍ୟପଟେ ଭ୍ୟାକ୍ସିନକୁ ନେଇ ଚାଲିଥାଏ ରାଜନୀତି ଓ ବୟାନବାଜୀ । ମୋଦୀ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିବାକୁ ଛୋଟିଆ ମୌକା ମଧ୍ୟ ହାତଛଡା କରୁନଥିଲେ । ବରିଷ୍ଠ ନେତା ଶଶି ଥରୁର ନେତା ମଧ୍ୟ ଶାଣିତ ଆକ୍ରମଣ କରିଥିଲେ । ଆଉ ଏବେ ସାମ୍ନାକୁ ଆସିଛି ଥରୁରଙ୍କ ତାଜା ସୋସିଆଲ ମିଡିଆ ପୋଷ୍ଟ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି । ଭାରତର ଭ୍ୟାକ୍ସିନ ଡିପ୍ଲୋମେସିରେ ମୋଦୀଙ୍କ ନେତୃତ୍ବର ଗୁଣାଗାନ କରିଛନ୍ତି । ଗୋଟି ଗୋଟି କରି ଏମିତି ଅନେକ କଥା ନିଜ ପୋଷ୍ଟରେ ଲେଖି ମୋଦୀଙ୍କ ନେତୃତ୍ବରେ ଦେଶର କୁଟନୀତି ରଣନୀତିକୁ ନେଇ ଗୁଣଗାନ କରିଛନ୍ତି ଶଶି ଥରୁର ।
ଥରୁରଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା
-କୋଭିଡ୍ ମହାମାରୀରେ ମୋଦୀଙ୍କ ବିଦେଶ ନୀତି ପ୍ରଶଂସନୀୟ
- ବିଶ୍ବ ପାଇଁ ପ୍ରେରଣା ସାଜିଥିଲା ଭାରତ
- ବୈଶ୍ବିକ ଆହ୍ବାନକୁ ଭାରତ ମୁକାବିଲା କରିବାକୁ ସକ୍ଷମ
-ଭ୍ୟାକ୍ସିନ ଡିପ୍ଲୋମେସି ବିଶ୍ବ ପାଇଁ ଆଶାର କିରଣ ସୃଷ୍ଟି କରିଥିଲା
-ଗ୍ଲୋବାଲ ଲିଡର ଭାବେ ଭାରତ ନିଜ ଭାବମୂର୍ତ୍ତିକୁ ଅଧିକ ମଜଭୁତ କରିଛି
ଶଶିଙ୍କ ବୟାନକୁ ନେଇ କଂଗ୍ରେସ ଶିବିରରେ ଯେତିକି କମ୍ପନ ସୃଷ୍ଟି ହୋଇଛି ବିଜେପି ନେତାଙ୍କ ମନକୁ ସେତିକି ଛୁଇଁଛି । ବିରୋଧୀ ଦଳରେ ରହି ସରକାରଙ୍କ ପ୍ରଶଂସା କରିବା ଏକ ବିରଳ ଘଟଣା ବୋଲି ବିଜେପି ମତାମତ ରଖିଛି । ତେବେ ବୟାନ ପାଇଁ କଂଗ୍ରେସ ଥରୁରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ବିଜେପି ।
ନିକଟରେ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ, ଆମେରିକାର ଟାରିଫ କଟକଣାକୁ ନେଇ ମୋଦୀ ସରକାରଙ୍କ ଆଲୋଚନାକୁ ମଧ୍ୟ ପ୍ରଶଂସା କରିଥିଲେ ଥରୁର । ଏଠି ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଦୀର୍ଘ ୪ବର୍ଷ ପରେ କାହିଁକି ସ୍ବର ବଦଳାଇଲେ ଶଶି? କାହିଁକି ମୋଦୀଙ୍କ ଏଭଳି ଖୁଲମଖୁଲା ପ୍ରଶଂସା କରୁଛନ୍ତି? ସେପଟେ ବିଜେପି ନେତାଙ୍କ ସହ ସେଲଫି ଉଠାଇବା, ବିମାନର ଏକାଠି ଯାତ୍ରା କରି ଫଟୋ ପୋଷ୍ଟ କରିବା ଭଳି ଅନେକ ପରିବର୍ତ୍ତନ ଥରୁରଙ୍କ ନିକଟରେ ପ୍ରକାଶ ପାଉଛି । ଏହା ପଛରେ କି କାରଣ ରହିଛି ଏନେଇ ଅନେକ ଚର୍ଚ୍ଚା ମଧ୍ୟ ଚାଲିଛି । କିଏ କହୁଛି ଶଶି ବିଜେପି ପ୍ରତି ଢଳୁଛନ୍ତି କିଏ କହୁଛି ରାଜନୀତିରେ ସବୁ ଚଳେ ।