କନକ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ସମସ୍ୟା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି । ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ BNSର ଧାରା ୨୧୮ ଅନୁଯାୟୀ କୋର୍ଟରେ ମାମଲା ଚଳାଇବା ପାଇଁ ଅନୁମତି ମାଗିଥିଲା । 
ସୂଚନା ଅନୁଯାୟୀ ଗୃହ ମନ୍ତ୍ରଣାଳୟ କହିଛି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ରୁ ମିଳିଥିବା ସାମଗ୍ରୀ ଆଧାରରେ, ସତ୍ୟେନ୍ଦ୍ର କୁମାର ଜୈନଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ମଞ୍ଜୁରୀ ପ୍ରଦାନ କରିବା ନିମନ୍ତେ ପର୍ୟ୍ୟାପ୍ତ ପ୍ରମାଣ ମିଳିଛି। ତେଣୁ କୋର୍ଟରେ ମାମଲା ଚଲାଇବା ପାଇଁ ଦାବି କରାଯାଇଛି।

Advertisment

ତିନି ବର୍ଷ ପୂର୍ବେ ହୋଇଥିଲେ ଗିରଫ

ମନି ଲଣ୍ଡରିଂ ମାମଲାରେ ଅଗଷ୍ଟ ୨୦୧୭ରେ ସିବିଆଇ ସତ୍ୟେନ୍ଦ୍ର ଜୈନ ଓ ଅନ୍ୟ କିଛି ଦୋଷୀଙ୍କ ବିରୋଧରେ ଆୟଠୁ ଅଦିକ ସମ୍ପତ୍ତି ରଖିବା ନେଇ ମାମଲା ରୁଜୁ କରିଥିଲା । ସିବିଆଇ ୨୦୧୮ ମସିହା ଡିସେମ୍ବର ମାସରେ ଏହି ଅଭିଯୋଗପତ୍ର ଦାଖଲ କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ତାଙ୍କ ସମ୍ପତ୍ତି ୨୦୧୫-୧୭ ମସିହାରେ ୧.୪୭ କୋଟି ଥିଲାବେଳେ, ଏହା ୨୧୭ ଗୁଣା ବୃଦ୍ଧି ପାଇଥିଲା ।

ନକଲି କମ୍ପାନୀରୁ ମିଳିଛି ୪.୮ କୋଟି 

ଇଡି ପୂର୍ବରୁ କହିଥିଲା ଯେ, ତଦନ୍ତରୁ ଜଣାପଡିଛି ଯେ ୨୦୧୫-୧୬ ମଧ୍ୟରେ ସତ୍ୟେନ୍ଦ୍ର ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ଚାରୋଟି କମ୍ପାନୀ (ତାଙ୍କ ମାଲିକାନାରେ ଏବଂ ତାଙ୍କ ଦ୍ୱାରା ନିୟନ୍ତ୍ରିତ) ସେଲ୍ କମ୍ପାନୀଗୁଡ଼ିକରୁ ୪.୮୧ କୋଟି ଟଙ୍କାର ହାୱାଲା ଟଙ୍କା ପାଇଥିଲେ। ବଦଳରେ, କୋଲକାତାରେ ଥିବା ଏଣ୍ଟ୍ରି ଅପରେଟରମାନଙ୍କୁ ହାୱାଲା ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରାଯାଉଥିଲା। ଯାହା ପରେ, ତାଙ୍କ ବିରୋଧରେ ଏବେ ମନି ଲଣ୍ଡରିଂ କେସ୍ ଚଲାଇବାକୁ ଅନୁମତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।