କନକ ବ୍ୟୁରୋ : ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଝଟକା । ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଧାରଣା ବେଳେ ମହିଳା ପୋଲିସ ଆଇଆଇସିଙ୍କୁ ଠେଲିଦେବା ଓ ଧମକଚମକ ଦେବା ଘଟଣାରେ ଜୟନରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ।
ଗତ ୨୦୨୩ ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଟାଉନ ଥାନାରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ । ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ କର୍ତ୍ତବ୍ୟ ସମ୍ପାଦନରେ ବାଧା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା ।
ଧନୁପାଲି ଥାନା ଆଇଆଇସିଙ୍କ ଏତଲା କ୍ରମେ ଟାଉନ ଥାନା ପକ୍ଷରୁ ଜୟନାରାୟଣ ମିଶ୍ରଙ୍କ ନାଁରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ହୃଷିକେଶ ରାୟ ଓ ଏସଭିଏନ ଭଟ୍ଟି ଏହି ମାମଲାର ଶୁଣାଣି କରିବା ସହ କହିଛନ୍ତି, ଜନପ୍ରତିନିଧି ଭାବେ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର କରି ଉଦାହରଣ ସୃଷ୍ଟି କରିବା କଥା । ଏହି ଘଟଣାକୁ ନେଇ ବିଜେଡି ଜୟନାରାୟଣଙ୍କୁ ଟାର୍ଗେଟ କରିଥିଲା ।