କନକ ବ୍ୟୁରୋ : ଡ୍ରାଇଭର ସତ କହୁଛି ନା ସିସିଟିଭି । ସମ୍ବଲପୁରର ୨ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଡ୍ରାଇଭରର ବୟାନକୁ ଆଉ ଭରସିପାରୁନି ପୋଲିସ । ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିବା ବେଳେ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ।
ସମ୍ବଲପୁରର ୨ ବିଜେପି ନେତାଙ୍କ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଯେତିକି ସରଳ ଦିଶୁଛି, ବାସ୍ତବରେ କିନ୍ତୁ ଭାରି ଭୟଙ୍କର । ସେଦିନ ରାତିରେ କଣ ଘଟିଥିଲା ଓ କେଉଁ ସତକୁ ଚାପିବାକୁ ଉଦ୍ୟମ ଚାଲିଛି ସେ ନେଇ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛି ପୋଲିସ । ହତ୍ୟା ଅଭିଯୁକ୍ତ ଡ୍ରାଇଭର ପୋଲିସକୁ ଭୁଆଁ ବୁଲାଉଥିବା ବେଳେ ତାହାର ସୈତାନୀ ରୂପକୁ ସାମ୍ନାକୁ ଆଣିଛି କନକ ନ୍ୟୁଜ୍ ।
ଆଗେ ଆଗେ ଯାଉଛି ବିଜେପି ନେତାଙ୍କ ଗାଡି । ପଛେ ପଛେ ଗୋଡାଉଛି ରକ୍ତମୁଖା ହାଇୱା । ରାସ୍ତାରେ ଖାଲଖମା ଥିବାରୁ ବିଜେପି ନେତାଙ୍କ ଗାଡିର ସ୍ପିଡ କମିଲା । ଆଉ ପଛପଟୁ ୧୩୦ରୁ ୧୫୦ କିଲୋମିଟର ସ୍ପିଡରେ ମାଡି ଆସିଲା ହାଇୱା । କେହି କିଛି ଭାବିବା ପୂର୍ବରୁ ବିଜେପି ନେତାଙ୍କ ଗାଡି ଉପରକୁ ହାଇୱା ଚଢାଇଦେଲା ଡ୍ରାଇଭର ପ୍ରସନ୍ନ । ହାଇୱା ମାଡରେ ଛିନଛତର ହୋଇଯାଇଥିଲା କାର, ରାସ୍ତା କଡରେ ଛିଟିକି ପଡିଥିଲା ମୃତଦେହ । ଆଉ ହତ୍ୟା କରି ସାରିବା ପରେ ପବନ ବେଗରେ ଯାଉଥିବା ଏହି ନରହନ୍ତା ଗାଡି ହଠାତ୍ ଅଟକି ଯାଇଥିଲା । ଧକ୍କା ଦେବା ପରେ ହାଇୱାରୁ ବାହାରି ପ୍ରସନ୍ନ ବୁଲି ଦେଖିଥିଲା । ହାତରେ ଇଟା ଧରି ବଞ୍ଚି ଯାଇଥିବା ଲୋକଙ୍କୁ ମାରିବାକୁ ଉଦ୍ୟମ କରୁଥିଲା ଡ୍ରାଇଭର । ଏସବୁ ଭିତରେ ଡ୍ରାଇଭର ପ୍ରସନ୍ନକୁ ୩ ଦିନିଆ ରିମାଣ୍ଡରେ ଆଣି ଝାଳବୁହା ଜେରା କରୁଛି ପୋଲିସ । ଭୁଆଁ ବୁଲାଉଥିବା ଡ୍ରାଇଭର ଠାରୁ ସତ ଉଗାରିବାକୁ ଚଲାଇଛି ଉଦ୍ୟମ ।
ଏବେ ପ୍ରଶ୍ନ ଉଠୁଛି, କାହିଁକି ରକ୍ତମୁଖା ହୋଇପଡିଥିଲା ଡ୍ରାଇଭର ? ଏନଏଚ୍ ଛାଡି ଗାଁ ଭିତରେ ପଶି କାହିଁକି କଲା ହତ୍ୟା ? କୁଆଡ଼େ ଗଲା ଡ୍ରାଇଭରର ମୋବାଇଲ ଫୋନ ? ବିଜେପି ନେତାଙ୍କୁ ହତ୍ୟା କରିବାକୁ କିଏ ଦେଇଥିଲା କି ସୁପାରୀ ?