ନ୍ୟୁଜିଲାଣ୍ଡ ସିରିଜ ଶେଷ ହେବା କ୍ଷଣି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଷ୍ଟାର କ୍ରିକେଟର । ଖାଲି ସେତିକି ନୁହେଁ ଏହି ଭାରତୀୟ କ୍ରିକେଟର ଆଇପିଏଲ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।

୨୦୧୦ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଏହି କ୍ରିକେଟର । କିନ୍ତୁ ଏଥର ମେଗା ନିଲାମୀ ପାଇଁ ସେ ନିଜ ନାଁକୁ ଫେରାଇ ଦେଇଛନ୍ତି । ବର୍ତ୍ତମାନ ରଣଜୀ ଖେଳିବାରେ ବ୍ୟସ୍ତ ଅଛନ୍ତି ରିଦ୍ଧିମାନ ଶାହ ।

ସୋସିଆଲ ମିଡିଆରେ ରିଦ୍ଧିମାନ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି, “ଏହା ମୋର ଶେଷ ରଣଜୀ ସିଜିନ ହେବ । ଘରୋଇ ସିଜିନରେ ମୁଁ ବେଙ୍ଗଲ ଦଳର ଅଧିନାୟକତ୍ୱ କରିବା ସୁଯୋଗ ପାଇଛି । ମୋର ଏହି ଯାତ୍ରାରେ ସହଯୋଗ କରିଥିବେ ସମସ୍ତ ସାଥୀଙ୍କୁ ଧନ୍ୟବାଦ ।”

ରିଦ୍ଧିମାନ ଶାହ ୨୦୦୭ରୁ ବେଙ୍ଗଲ ପାଇଁ କ୍ରିକେଟ ଖେଳି ଆସୁଛନ୍ତି । ତେବେ ୨୦୨୨ରେ ସେ ତ୍ରିପୁରା ପକ୍ଷରୁ ଖେଳିବା ସହ ଅଧିନାୟକ ଦାୟିତ୍ୱ ନେଇଥିଲେ । ଏହାପରେ ପୁନଃ ୨୦୨୪ରେ ବେଙ୍ଗଲ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ।

ଭାରତ ପାଇଁ ୪୦ଟି ଟେଷ୍ଟ ମ୍ୟାଚ ଖେଳି ୧୩୫୩ ରନ୍ କରିଛନ୍ତି ରିଦ୍ଧିମାନ ଶାହ । ଯେଉଁଥିରେ ତିନୋଟି ଶତକ ମଧ୍ୟ ସାମିଲ ରହିଛି । ଏହାଛଡ଼ା ସେ ୯ଟି ଦିନିକିଆ ମ୍ୟାଚ ଖେଳି ୪୧ ରନ କରିଛନ୍ତି ।

ପ୍ରଥମ ଶ୍ରେଣୀ କ୍ରିକେଟ କଥା କହିଲେ ସେ ୧୩୮ ମ୍ୟାଚରେ ୭୦୧୩ ରନ୍ ମଧ୍ୟ ହାସଲ କରିଛନ୍ତି । ଖାଲି ସେତିକି ନୁହେଁ ୨୦୧୧ ଓ ୨୦୨୨ ଆଇପିଏଲ ଚାମ୍ପିୟନ ଦଳର ସଦସ୍ୟ ବି ତିଲେ ରିଦ୍ଧିମାନ ଶାହ ।