କନକ ବ୍ୟୁରୋ: ଭୂତ ନେଉଥିଲେ ରାସନ୍ ଚାଉଳ । କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ । ରାଜ୍ୟରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ୍ ଚାଉଳ । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତାଙ୍କ କହିବା ମୁତାବକ, ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ ।

Advertisment

ବିଜେଡି ବିଧାୟକ ଗଣେଶ୍ୱର ବେହେରା ବିଧାନସଭାରେ ଆଜି ପର୍ୟ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି, ତାର ରିପୋର୍ଟ ମାଗିଥିଲେ । ଯାହାର ଉତ୍ତର ଦେଇଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ପିଡିଏସ୍ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ପିଡିଏସ୍ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି କରାଇଛନ୍ତି । ତେବେ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କୁ ରାସନ କାର୍ଡ ତଥ୍ୟାବଳୀରେ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ଇ-କେଓ୍ୱାଇସି ଯାଞ୍ଚ ସମୟରେ, ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ହାତେଇଥିବା ନେଇ ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।