କନକ ବ୍ୟୁରୋ: ଆରଆଇ ଅମିନ ପରୀକ୍ଷାରେ ଭାଙ୍ଗିଲା ପରୀକ୍ଷାର୍ଥୀଙ୍କ ସ୍ବପ୍ନ । ମଧ୍ୟବିତ ପରବାରର ପିଲାମନେ ସରକାରୀ ଚାକିରି ଖଣ୍ଡେ ପାଇବାକୁ ଆଶା ରଖିଥିବା ବେଳେ ପରୀକ୍ଷାରେ ଅନିୟମିତତା ଯୋଗୁଁ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ପରୀକ୍ଷାର୍ଥୀଙ୍କ ଭବିଷ୍ୟତ । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

Advertisment
  • ଆରଆଇ ପରୀକ୍ଷାରେ ଅନିୟମିତତା!
  • ବ୍ଲାକଲିଷ୍ଟ କମ୍ପାନି ହାତରେ ପିଲାଙ୍କ ଭବିଷ୍ୟତ
  • ଓଏସଏସଏସସିର ସ୍ବଚ୍ଛତା ଉପରେ ଉଠିଲା ପ୍ରଶ୍ନ

ଆରଆଇ ଅମିନ ଆଇସିଡିଏସ୍‌ ପରୀକ୍ଷାରେ ଅନିୟମିତତା ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଠିକ ସେ ଦେଇ ନପାରିଥିବାରୁ ପ୍ରତିବାଦରେ ଶହଶହ ପରୀକ୍ଷାର୍ଥୀ ଷ୍ଟେଟ୍‌ ଲାଇବ୍ରେରୀ ସମ୍ମୁଖରେ ଧାରଣା ଦେଇଛନ୍ତି । ପରୀକ୍ଷାରେ ବଡ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି।

ତେବେ ଘଟଣାରେ'ଓ ଟ୍ରିପଲ ଏସସି'କୁ  ଦାୟୀ କରିଛନ୍ତି ଛାତ୍ର ସଂଗଠନ। ଏକ ବ୍ଲାକଲିଷ୍ଟ କମ୍ପାନିକୁ କିଭଳି ପରୀକ୍ଷା ପରିଚାଳନାର ଦାୟିତ୍ବ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ସିଫି ଟେକ୍ନୋଲୋଜି ନାଁରେ ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ନେଇ ନେଇ ମାମଲା ଥିବା ବେଳେ ଏହାକୁ ବ୍ଲାକଲିଷ୍ଟ କରାଯାଇଛି । ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି । ଏଭଳି ସ୍ଥିତିରେ ସିଫି ସଂସ୍ଥାକୁ କାହିଁକି ଦାୟିତ୍ବ ଦେଲେ ସରକାର ସେନେଇ ପ୍ରଶ୍ନ କରିଛନ୍ତି ଛାତ୍ର ନେତା ।

  • ଅନିୟମିତତାର ହେବ ତଦନ୍ତ
  • ପୂର୍ବ ସରକାରକୁ ଦାୟୀ କଲେ ମନ୍ତ୍ରୀ

ପଦାରେ ପଡ଼ିଛି ଆରଆଇ ଅମିନ ପରୀକ୍ଷାରେ ହୋଇଥିବା ଅନିୟମିତତା। ନଜର ପକାନ୍ତୁ ଏହି ଭିଜୁଆଲ ଉପରେ । ନା ପରୀକ୍ଷାର୍ଥୀଙ୍କ ଯାଞ୍ଚ କରାଯାଉଛି ନା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ରହିଛି । ଏକ ସାଇବର କାଫେ ପାଲଟିଛି ପରୀକ୍ଷା ସେଣ୍ଟର । ତେବେ ଘଟଣା ପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ଆରଆଇ ଅମିନ ଆଇସିଡିଏସ୍‌ ପରୀକ୍ଷାକୁ ଦେଇ ତାତିଛନ୍ତି ପରୀକ୍ଷାର୍ଥୀ । ତେବେ ଏଠି ପ୍ରଶ୍ନ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ? ଆଉ ଥରେ ହେବ ବି ପରୀକ୍ଷା ?  ଏକ ବ୍ଲାକଲିଷ୍ଟ କମ୍ପାନିକୁ କିଭଳି ମିଳିଲା ପରୀକ୍ଷା ପରିଚାଳନା ଦାୟିତ୍ବ? ଦୁର୍ନୀତି ପଛରେ ଥିବା ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?