ମୂଲ୍ୟହୀନ ଏଠି ମଣିଷ ଜୀବନ ! ଖଣି ଅଞ୍ଚଳରେ ସରକାରଙ୍କୁ କେବଳ ରାଜସ୍ୱ ଚିନ୍ତା

କୋଇଡାରୁ କଳମଙ୍ଗ, ତେହେରାଇ ଠାରୁ ସାନଇନ୍ଦିପୁର, କୋଇଡା ଠାରୁ ମିଥିର୍ଡା ହେଉ ବା ଅଡାଘାଟ ଠାରୁ କେନ୍ଦୁଝର ରୁଗୁଡି ରାସ୍ତାରେ ବର୍ତ୍ତମାନ ଯମ ଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟ ଲୋକେ ।

Mining Area

 କନକ ବ୍ୟୁରୋ:  ବର୍ଷକୁ କେବଳ ଖଣି ମାଧ୍ୟମରେ ୧୫ ହଜାର କୋଟିରୁ ଉର୍ଦ୍ଧ୍ଵ ରାଜସ୍ଵ ପ୍ରଦାନ କରୁଥିବା କୁବେର ଖଣି ଅଞ୍ଚଳ କୋଇଡ଼ା ଏବେ ଥମି ଯାଇଛି । କୋଇଡାରୁ କଳମଙ୍ଗ, ତେହେରାଇ ଠାରୁ ସାନଇନ୍ଦିପୁର, କୋଇଡା ଠାରୁ ମିଥିର୍ଡା ହେଉ ବା ଅଡାଘାଟ ଠାରୁ କେନ୍ଦୁଝର ରୁଗୁଡି ରାସ୍ତାରେ ବର୍ତ୍ତମାନ ଯମ ଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟ ଲୋକେ ।  ଖରାପ୍ ରାସ୍ତା ଯୋଗୁଁ ଟ୍ରକଙ୍କ ଭିଡ଼ରେ ୨୪ ଘଣ୍ଟିଆ ଟ୍ରାଫିକ୍‌ ଜାମ୍ । ରାସ୍ତାରେ ଚାଲିକି ଯିବା ବି ମୁସ୍କିଲ୍‌ । 

ଖରାପ ରାସ୍ତା ଯୋଗୁଁ ଯମ ଯନ୍ତ୍ରଣା ଭୋଗୁଛି ଖଣି ଅଞ୍ଚଳ । ବର୍ଷାଦିନେ କାଦୁଅ ଏବଂ ଖରା ଦିନେ ଧୂଳିଧୂଆଁରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । କାଦୁଅ ରାସ୍ତାରେ ଫସିଯାଉଛି ଆମ୍ବୁଲାନ୍ସ । ସାନଇନ୍ଦିପୁର କୋଇଡ଼ା ରାସ୍ତାରେ ଘଣ୍ଟାଘଣ୍ଟା ଧରି ଫସି ରହିଲା ଆମ୍ବୁଲାନ୍ସ । ସ୍ଥାନୀୟ ଲୋକ, ଖଣି ସୁରକ୍ଷାକର୍ମୀଙ୍କ ବହୁଚେଷ୍ଟା ପରେ ଇଞ୍ଚେ ଘୁଞ୍ଚିଲା ନାହିଁ । ସେପଟେ ଆମ୍ବୁଲାନ୍ସ ପଛକୁ ପଛ ଲମ୍ବିଥିଲା ଶହଶହ ଟ୍ରକ୍‌ । ଶେଷରେ ମେସିନ୍ ସାହାଯ୍ୟରେ ଆମ୍ବୁଲାନ୍ସକୁ ରାସ୍ତାକଡ଼କୁ ନିଆଯାଇଥିଲା । ଏହି ଦୃଶ୍ୟ ଦେଖିଲା ପରେ ଲାଗୁଛି ଏଠି ସରକାରଙ୍କୁ କେବଳ ରାଜସ୍ବ ଚିନ୍ତା । ରାଜସ୍ୱ ଆଗରେ ମୂଲ୍ୟହୀନ ମଣିଷ ଜୀବନ! 
ସୂଚନା ଅନୁସାରେ, କୋଇଡ଼ା ବ୍ଲକର ତେହେରାଇ ଠାରୁ କଳମଙ୍ଗ ରୁଗୁଡ଼ି ରାସ୍ତା ନିର୍ମାଣ ପାଇଁ ୪୦ ବର୍ଷ ହେବ ଦାବି ହେଉଛି। ବ୍ଲକ୍, ତହସିଲ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ହେଲେ କେହି କେବେ ଗୁରୁତ୍ୱ ଦେଉନାହାନ୍ତି। ସରକାର କେବଳ ଖଣି ଓ ଖଣିଜ ପରିବହନକୁ ଗୁରୁତ୍ୱ ଦେଉଛନ୍ତି। ଖଣି ଅଞ୍ଚଳର ଲୋକଙ୍କ କଥା ପଚାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। 

ଏବେ ତ ଖଣି ଅଞ୍ଚଳ ଚାରିପଟେ ଲୋକେ ଏକପ୍ରକାର ଗୃହବନ୍ଦୀ କହିଲେ ଚଳେ । ବ୍ଲକ୍ ମୁଖ୍ୟାଳୟରୁ ବିଚ୍ଛିନ୍ନ ମାଲଦା ଓ ପାଟମୁଣ୍ଡା ପଞ୍ଚାୟତ । ଗୋଟେ ପଟେ ଜିଲ୍ଲା ଖଣିଜ ପାଣ୍ଠି ନେଇ ସରକାର ଚିକମିକ୍ ଚିତ୍ର ଦେଖାଉଛନ୍ତି । ହେଲେ ବାସ୍ତବ ଚିତ୍ର ଅତି ଦୟନୀୟ । ଯାହା ପ୍ରତି କାହାରି ନିଘା ନାହିଁ। ସେଥିପାଇଁ ତ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଖଣି ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe