କନକବ୍ୟୁରୋ : ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିହାର ଜମୁଇରେ ଜନ ଜାତୀୟ ଗୌରବ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟରେ ନାଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ନାମର ଡାକ ଟିକଟ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ଆଦିବାସୀଙ୍କ ବିକାଶ ପାଇଁ ୬ ହଜାର କୋଟି ପ୍ରକଳ୍ପର ଘୋଷଣା କରିଛନ୍ତି। ସାରା ଦେଶରେ ଆଜି ଜନ ଜାତୀୟ ଗୌରବ ଦିବସ ପାଳିତ ହେଉଛି। ଆଉ ବିହାର ଜମୁଇରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରତ୍ୟେକଟି ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିପ୍ଲବୀ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ପୂଣ୍ୟ ଜୟନ୍ତୀ ଅବସରରେ ୨୦୨୫ ମସିହାକୁ ଜନଜାତି ଗୌରବ ବର୍ଷ ରୂପେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଥିଲେ ।
ଏହିକ୍ରମରେ ଆଜି ଏହି ଦିବସ ପାଳିତ ହୋଇଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ସହିଦ ବିର୍ଷା ମୁଣ୍ଡାଙ୍କ ବଳିଦାନ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଉନ୍ମୋଚିତ ହେଲା ପ୍ରତିମୂର୍ତ୍ତି ।
ଦିଲ୍ଲୀର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମାତୃଭୂମି ପାଇଁ ଭଗବାନ ବିର୍ସାମୁଣ୍ଡାଙ୍କର ବଳିଦାନର ସ୍ମରଣ କରିଛନ୍ତି। ମାତ୍ର ୨୫ ବର୍ଷ ବୟସରେ ବିର୍ସାମୁଣ୍ଡା ନିଜ କାର୍ଯ୍ୟଦ୍ବାରା ଏପରି କିଛି କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ୧୫୦ ବର୍ଷ ପରେ ବି ଦେଶବାସୀ ତାଙ୍କୁ ମନେ ରଖିଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି। ଆଦିବାସୀ ସଂସ୍କୃତିର ରକ୍ଷା ଓ ଏହାପ୍ରତି ବିର୍ସାମୁଣ୍ଡାଙ୍କ ପ୍ରତିବଦ୍ଧତା ମହାନ ବୋଲି ସେ କହିଛନ୍ତି।