କନକ ବ୍ୟୁରୋ : ଏମ୍ସ ବର୍ଣ୍ଣ ୱାର୍ଡରେ ଏଫ୍ଏମ୍ କଲେଜ ପୀଡ଼ିତାଙ୍କୁ ଭେଟିଲେ ମହାମହିମ ରାଷ୍ଟ୍ରପତି । ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେ ପ୍ରଥମେ ଏମ୍ସ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲେ । ସେଠାରୁ ବାହାରି ସେ ଏମ୍ସ ବର୍ଣ୍ଣ ୱାର୍ଡରେ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ସମସ୍ତଙ୍କ ନଜର ଥିଲା ଏହି ଦିଗରେ କି ରାଷ୍ଟ୍ରପତି ପୀଡ଼ିତା ଛାତ୍ରୀଙ୍କୁ ଭେଟିବେ କି ନାହିଁ । ଶେଷରେ ସେ ସେଠାରେ ପହଞ୍ଚି ଡାକ୍ତରୀ ଟିମ୍ ସହ ଆଲୋଚନା କରିବା ସହ ପୀଡ଼ିତାଙ୍କ ପରିବାର ସହ ମଧ୍ୟ କଥା ହେଲେ ରାଷ୍ଟ୍ରପତି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୮ ପ୍ରତିଶତ ପୋଡ଼ିଯାଇଛି ।
ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଗିରଫ ହୋଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଅନ୍ତରୀଣ ରିପୋର୍ଟ ଆଧାରରେ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଛି । ଗତକାଲି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ଆଧାରରେ ସୋମବାର ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଅଭିଯୁକ୍ତ ଅଧ୍ୟାପକ ସୁନୀଲ ସାହୁ ବି ଗିରଫ ହୋଇସାରିଛନ୍ତି । ତାଙ୍କୁ ମଧ୍ୟ ସରକାର ଚାକିରୀରୁ ନିଲମ୍ବିତ କରିଥିଲେ ।