କନକ ବ୍ୟୁରୋ : ନୀଳଗିରିରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ସଠିକ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ଖଟିଆରେ ବୁହାହେଲେ ପ୍ରସୂତି । ବଦଳିଛି ସରକାର ହେଲେ ବଦଳିନି ନୀଳଗିରିରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଖବର ଦେବାପରେ ବି ପହଞ୍ଚିଲା ନାହିଁ ୧୦୨ ଜନନୀ ଏକ୍ସପ୍ରେସ, ୧କିଲୋମିଟର ପର୍ଯ୍ୟନ୍ତ ଖଟିଆ ରେ ବୁହାହେଲେ ଗର୍ଭବତୀ ମହିଳା ।
ଗରଡିହୀ ପଞ୍ଚାୟତ କାଞ୍ଜିଆମୁହାଁ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଭୈରବ ମଲିକଙ୍କ ସ୍ତ୍ରୀ ରଞ୍ଜିତା ପାତ୍ରଙ୍କ ପେଟ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଗାଁ ଆଶା ଦିଦିଙ୍କୁ ଖବର ଦେଇଥିଲେ ଆମ୍ବୁଲାନ୍ସ ଡାକିବା ପାଇଁ । କିନ୍ତୁ ୪୫ ମିନିଟରୁ ଉର୍ଦ୍ଧ୍ୱ ସମୟ ବିତିବାରୁ ତାଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା ।
କିଛି ଉପାୟ ନ ପାଇ ଭୈରବ ନିଜ ଗର୍ଭବତୀ ସ୍ତ୍ରୀକୁ ମେଡିକାଲ ନେବା ପାଇଁ ୧କିଲୋମିଟର ଦୂର ପର୍ଯ୍ୟନ୍ତ ଖଟିଆ ଯୋଗେ ନେଉଥିଲେ । ପରେ କାର ଯୋଗେ ମେଡିକାଲରେ ଗର୍ଭବତୀ ସ୍ତ୍ରୀକୁ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ଗାଁରେ କାହିଁକି ପହଞ୍ଚିଲା ନାହିଁ ଆମ୍ବୁଲାନ୍ସ, ରାସ୍ତା ସମସ୍ୟା ନା ଆମ୍ବୁଲାନ୍ସ କର୍ମଚାରୀଙ୍କ ଭୁଲ ତାହା ତଦନ୍ତ ସାପେକ୍ଷ ।