କନକ ବ୍ୟୁରୋ : ଓଡିଶାର ପିଛା ଛାଡୁଆ ଆଳୁ ସଂକଟ । ରାଜ୍ୟରେ ଆଳୁ ସଂକଟ ପାଇଁ ସରକାର ଓ ବିରୋଧୀ ପରସ୍ପରକୁ ଦୋଷ ଦେଉଛନ୍ତି । କିନ୍ତୁ ସରକାର ଓ ବିରୋଧୀଙ୍କ ବୟାନବାଜି ଭିତରେ, ପୁଣି ଥରେ ଆଳୁ ଦର ଉପରମୁହାଁ ହୋଇଛି । ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଆସୁନି ଆଳୁ ଗାଡି । ପୁଣି ବଢ଼ିଲା ଦର । କଟକରେ ଆଳୁ କିଲୋକୁ ୪୦ଟଙ୍କା ଥିବା ବେଳେ ଭୁବନେଶ୍ୱରରେ ଆଳୁ କିଲୋ ୪୦ ଟଙ୍କା ରହିଛି । ସେହିପରି ବ୍ରହ୍ମପୁରରେ ଆଳୁ କିଲୋ ୩୫ ଟଙ୍କା ଥିବା ବେଳେ ରାଉରକେଲାରେ ଆଳୁ କିଲୋ ୩୫ ଟଙ୍କା ରହିଛି ।ରାଜ୍ୟର ପ୍ରମୁଖ ଅଞ୍ଚଳରେ ଏ ହେଉଛି ଆଜିର ଆଳୁଦର । ଏହି ଦରକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ପୁଣି ଥରେ କେମିତି ଦାମ୍ ବଢ଼ିଯାଇଛି । ଦୁଇ ଦିନ ତଳେ ଆଳୁ କିଲୋପିଛା ୩୦ ଟଙ୍କା ଦାମରେ ବିକ୍ରି ହେଉଥିବାବେଳେ ଏବେ ହଠାତ୍ ପୁଣି ଥରେ ୪୦ଟଙ୍କାରେ ପହଁଚିଛି । ପୁଣି ଥରେ ଆଳୁ ଦର ବୃଦ୍ଧି ପାଇବାରୁ ଗ୍ରାହକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଗ୍ରାହକଙ୍କ ଭିତରେ ଅସନ୍ତୋଷ ବଢୁଥିବାବେଳେ ଦୁଇ ଦିନ ହେଲା ଆଳୁ ଗାଡି ଆସିନଥିବାରୁ ଦର ବଢ଼ିଛି ବୋଲି କହିଛନ୍ତି ବ୍ରହ୍ମପୁର ବ୍ୟବସାୟୀ । ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି କହିଛନ୍ତି, ୟୁପିରୁ ଯେଉଁ ଆଳୁ ଆସୁଥିଲା କ୍ଷତି ହେଉଥିବାରୁ ତାହା ଆଉ ଆସୁନାହିଁ । ପଶ୍ଚିମବଙ୍ଗ ଆଳୁ ଗାଡି ଛାଡୁନାହିଁ । ଯାହାଫଳରେ ଏମିତି ସମସ୍ୟା ଦେଖାଦେଇଛି । ଦୋକାନୀ ବି ଚିନ୍ତାରେ ପଡିଛି ।
ଗୋଟିଏ ପଟେ ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣରେ ଅଛି ବୋଲି ସରକାର କହୁଛନ୍ତି । ଅନ୍ୟପଟେ ମାତ୍ର ଦୁଇ ଦିନରେ କିଲୋପିଛା ଦର ୫ରୁ ୧୦ଟଙ୍କା ବଢିବା, ଖାଉଟିଙ୍କୁ ଚିନ୍ତାରେ ପକାଇଛି । ପ୍ରଶ୍ନ ଉଠୁଛି, ଆଉ କେତେ ଦିନ ଆଳୁ ଦର ବୃଦ୍ଧି ଯୋଗୁଁ କ୍ଷତି ସହିବେ ଖାଉଟି ? ସରକାର ଏ ବିଷୟରେ ଅବଗତ ଅଛନ୍ତି ନାଁ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି ?