କନକବ୍ୟୁରୋ : ଜନ ଜାତୀୟ ଗୌରବ ଦିବସ ପାଳନ ପାଇଁ ଜନତା ମଇଦାନରେ ଭବ୍ୟ ଆୟୋଜନ । ଯୋଗ ଦେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାମିଲ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ। ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଜନ ଜାତୀୟ ଗୌରବ ଦିବସ ।
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବେ। ବିପ୍ଲବୀ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ପୂଣ୍ୟ ଜୟନ୍ତୀ ଅବସରରେ ୨୦୨୫ ମସିହାକୁ ଜନଜାତି ଗୌରବ ବର୍ଷ ରୂପେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିକ୍ରମରେ ନଭେମ୍ବର ୧୫ ତାରିଖରେ ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯିବ ।
ଏହାସହିତ ଜଙ୍ଗଲ ଅଧିକାର ଆଇନ ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯାଇ ପଟ୍ଟା ଆବଣ୍ଟନ କରାଯିବ । ଏହାସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ବର୍ଷ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ଯ୍ୟକ୍ରମ, ଆଦିବାସୀ ହସ୍ତଶିଳ୍ପୀ ମାନଙ୍କ ବିଭିନ୍ନ ଉତ୍ପାଦର ପ୍ରସାର ଓ ମାର୍କେଟିଂ ପାଇଁ କାର୍ଯ୍ୟକ୍ରମ, ସିକିଲ ସେଲ୍ ଆନାମିଆ ରୋଗ ସମ୍ପର୍କରେ ସଚେତନତା, ଆଦିବାସୀ କବି ଓ ଲେଖକ ମାନଙ୍କ ସମ୍ମିଳନୀ, ଜଙ୍ଗଲ ଅଧିକାର ଆଇନ ଉପରେ ୱାର୍କସପ୍, ଆଦିବାସୀ ମାନଙ୍କ ପାରମ୍ପରିକ ସ୍ଵାସ୍ଥ୍ୟସେବା ଜ୍ଞାନର ପ୍ରଚାର ପାଇଁ ସମ୍ମିଳନୀ ଇତ୍ୟାଦିର ଆୟୋଜନ କରାଯିବ ।