କନକ ବ୍ୟୁରୋ: ଗୋଟିଏ ପଟେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଚାଲିଛି। ଲୋକେ ସୁପରସଣ୍ଡେର ସୁପର ମୁକାବିଲା ଦେଖିବାରେ ମସଗୁଲ ଅଛନ୍ତି। ଅନ୍ୟପଟେ ଏହାର ସୁଯୋଗ ନେଇ ଟଙ୍କା ରୋଜଗାରରେ ମାତିଛନ୍ତି ସଟ୍ଟାବାଜ। ପ୍ରତି ମ୍ୟାଚ ପିଛା ଲାଗୁଛି କୋଟିକୋଟି ଟଙ୍କାର ବେଟିଂ। ଛତିଶଗଡ଼, ମୁମ୍ୱାଇ ଏବଂ ଚେନ୍ନାଇର ମାଫିଆମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ଗୋପନରେ କାରବାର ଚଳାଉଛନ୍ତି ଏଜେଣ୍ଟ। ସୂଚନା ଅନୁସାରେ ଅଧିକ ଲାଭ ଆଶାରେ ହ୍ବାଟସଆପ୍ ଜରିଆରେ କଲ୍ କରି ବେଟିଂ ଲଗାଉଛନ୍ତି ଜୁଆଡି। ବଲାଙ୍ଗୀର ସମେତ ରାଜ୍ୟର ବିଭିନ୍ନ ଜିଲ୍ଳାକୁ ଲମ୍ବିଛି ଚେର। 

Advertisment

ଲାଭ ହେଉଥିବା ଟଙ୍କାର ସିଂହଭାଗ ଏଜେଣ୍ଟମାନେ ରଖି ବଳକା ଟଙ୍କା ବେଟିଂ ଲଗାଇଥିବା ଲୋକଙ୍କୁ ଦେଉଛନ୍ତି। ପଡ଼ୋଶୀ ରାଜ୍ୟର କିଛି ବ୍ୟକ୍ତି ବେଟିଂ ପାଇଁ ଏଜେଣ୍ଟ ସାଜିଛନ୍ତି। କିନ୍ତୁ ବଲାଙ୍ଗୀରରେ ଜିଲ୍ଳା ପୋଲିସ ଏହାକୁ ଖଣ୍ଡନ କରିଛନ୍ତି।

ଓଡ଼ିଶାରେ ବେଟିଂ ଏଜେଣ୍ଟ ସକ୍ରିୟ ଥିବା କଥାକୁ ପୋଲିସ ଖଣ୍ଡନ କରୁଥିଲେ ବି ମାସେ ତଳେ କଣ୍ଟାବାଞ୍ଜିରୁ ଆସିଥିବା ସନ୍ଦେହକୁ ବଢ଼ାଇ ଦେଇଛି। ଗତ ମାସରେ କଣ୍ଟାବାଞ୍ଜିରେ କ୍ରିକେଟ୍‌ ବେଟିଂ କରୁଥିବା ଗ୍ୟାଙ୍ଗ୍‌କୁ ଧରିଥିଲା ପୁଲିସ। ଏକ ଭଡ଼ାଘରୁ ୫ ଜଣ ଧରାପଡ଼ିଥିବାବେଳେ ସେମାନଙ୍କଠାରୁ ୩ଟି ଲାପ୍‌ଟପ୍‌ ଓ ୨୦ଟି ମୋବାଇଲ ଜବତ ହୋଇଥିଲା। ରାକେଟ୍‌ରେ ଧରାପଡ଼ିଥିବା ୩ଜଣ ବିହାରର ଓ ୨ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏସବୁ କାରବାରକୁ ନିୟନ୍ତ୍ରଣ କରୁଥିଲେ ସ୍ଥାନୀୟ ଅଞ୍ଚଳର ପୁରୁଣା କିଙ୍ଗ୍‌ପିନ୍।

ବଡ଼ କଥା ହେଉଛି, ଆଇସିସିର କୌଣସି ବଡ଼ ଇଭେଣ୍ଟରେ ବେଟିଂ ଲାଗିବା ସ୍ବାଭାବିକ। ବିଶେଷକରି ଭାରତ-ପାକିସ୍ତାନ ମ୍ୟାଚରେ ବେଳେ ଏହାର ପରିମାଣ ଆହୁରି ବଢ଼ିଯାଏ। ଯିଏ ଯେତେ ଟଙ୍କାର ବେଟିଂ ଲଗାଇବ, ତା’ ବଦଳରେ ୨ରୁ ୩ଗୁଣା ଟଙ୍କା ମିଳିଥାଏ। ତେଣୁ ଏଭଳି ବେଆଇନ କାର୍ଯ୍ୟକୁ ଚପାଇ ନଦେଇ ଏହାକୁ ରୋକିବା ପାଇଁ ପୋଲିସ ଉଦ୍ୟମ କରିବାର ଆବଶ୍ୟକ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ଏଜେଂଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।